ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ: ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
-
ଜଳସମ୍ପଦ ଓ ଶ୍ରମ ବିଭାଗର ପ୍ରସ୍ତାବ ଅନୁମୋଦିତ
-
୪ ପ୍ରସ୍ତାବ ପାରିତ, ଆଗାମୀ ବଜେଟ୍ ଉପରେ ହେଲା ଆଲୋଚନା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ମନ୍ତ୍ରୀମଣ୍ଡଳର ୩୬ତମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ମୋଟ ୫ଟି ପ୍ରସ୍ତାବ ଆଗତ କରାଯାଇଥିଲା। ସେଥିମଧ୍ୟରୁ ଅର୍ଥ ବିଭାଗ ପକ୍ଷରୁ ୨୦୨୬-୨୭ ବର୍ଷର ବଜେଟ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା, ଯାହାର ସବିଶେଷ ବିବରଣୀ ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ। ବାକି ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ମିଳିଛି।
ଅନୁମୋଦନ ଲାଭ କରିଥିବା ଏହି ୪ଟି ପ୍ରସ୍ତାବ ମଧ୍ୟରୁ ଗୋଟିଏ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ହୋଇଥିବାବେଳେ ଅନ୍ୟ ୩ଟି ପ୍ରସ୍ତାବ ଜଳସମ୍ପଦ ବିଭାଗ ସହିତ ଜଡ଼ିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବଂ ଜନକଲ୍ୟାଣକାରୀ ଯୋଜନାକୁ ଗୁରୁତ୍ୱ ଦିଆଯାଇ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।