BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବାର୍ଡ ଫ୍ଲୁର ପୁନଃ ପ୍ରାଦୁର୍ଭାବ: ମହାମାରୀର ଆଶଙ୍କା, ଚେତାବନୀ ଦେଲେ ବୈଜ୍ଞାନିକ

ଚେନ୍ନାଇ : ତାମିଲନାଡୁରେ ପକ୍ଷୀମାନଙ୍କର ହଠାତ୍ ମୃତ୍ୟୁ ପୁଣି ଥରେ ବାର୍ଡ ଫ୍ଲୁ ଭୂତାଣୁ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି, ଯାହା ଗତ କିଛି ବର୍ଷ ଧରି ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଆସିଛି। ବୈଜ୍ଞାନିକମାନେ ଏକ ଗୁରୁତର ସତର୍କ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ବ୍ୟାପିଥିବା ଆଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ ଅତି ଦ୍ରୁତ ଗତିରେ ବିକଶିତ ହେଉଛି, ଯାହା ଭବିଷ୍ୟତରେ ଏକ ବିଶ୍ୱ ମହାମାରୀର ରୂପ ନେଇପାରେ। ଏହି ଚିନ୍ତାର କେନ୍ଦ୍ରବିନ୍ଦୁରେ ରହିଛି ଅତ୍ୟଧିକ ଘାତକ H5N1 ଷ୍ଟ୍ରେନ୍। ଏହି ଭୂତାଣୁ ପକ୍ଷୀମାନଙ୍କ ମଧ୍ୟରେ ଗୁରୁତର ରୋଗ ଓ ବହୁଳ ମୃତ୍ୟୁ ଘଟାଇବା ପାଇଁ କୁଖ୍ୟାତ ହୋଇଥିବା ବେଳେ ଏବେ ଏହାର ମଣିଷଙ୍କୁ ସଂକ୍ରମିତ କରିବାର କ୍ଷମତା ବୃଦ୍ଧି ପାଉଥିବାରୁ ବିପଦ ଆହୁରି ବଢ଼ିଯାଇଛି।

ନିକଟ ଅତୀତରେ ଭାରତର ବିଭିନ୍ନ ରାଜ୍ୟ ଯଥା ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ତେଲେଙ୍ଗାନା ଓ ତାମିଲନାଡୁରେ କୁକୁଡ଼ାଙ୍କଠାରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି। କେବଳ ପାଳିତ ପକ୍ଷୀ ନୁହନ୍ତି, ବରଂ ଅନେକ ବନ୍ୟଜନ୍ତୁ ମଧ୍ୟ ଏହି ଭୂତାଣୁ ଯୋଗୁଁ ପ୍ରାଣ ହରାଉଛନ୍ତି। ଏହା ପ୍ରମାଣିତ କରୁଛି ଯେ H5N1 କୌଣସି ବିରଳ କିମ୍ବା ସ୍ଥାନୀୟ ସମସ୍ୟା ନୁହେଁ, ବରଂ ଏକ ଗୁରୁତର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବିପଦ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁଯାୟୀ, ଜାନୁଆରି ୨୦୦୩ରୁ ଡିସେମ୍ବର ୨୦୨୫ ମଧ୍ୟରେ ବିଶ୍ୱର ୨୫ଟି ଦେଶରେ ପ୍ରାୟ ୯୯୩ ଜଣ ମଣିଷ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାର ମୃତ୍ୟୁହାର ପ୍ରାୟ ୪୭ ପ୍ରତିଶତ ରହିଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ। ଯଦିଓ ଏହି ଭୂତାଣୁ ମୁଖ୍ୟତଃ ପକ୍ଷୀଙ୍କୁ ଆକ୍ରାନ୍ତ କରେ, କିନ୍ତୁ ବିକ୍ଷିପ୍ତ ଭାବେ ମଣିଷଙ୍କ କ୍ଷେତ୍ରରେ ଦେଖାଯାଉଥିବା ସଂକ୍ରମଣ ଏକ ବଡ଼ ବିପଦର ସୂଚନା ଦେଉଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ବିଶେଷଜ୍ଞଙ୍କ ଅନୁସାରେ, ମଣିଷ ଶରୀରରେ ବାର୍ଡ ଫ୍ଲୁର ଲକ୍ଷଣ ସାଧାରଣ ଫ୍ଲୁ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ହୋଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କଠାରେ ଉଚ୍ଚ ଜ୍ଵର, କାଶ, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଓ ପ୍ରବଳ ଥକାପଣ ଦେଖାଯାଇଥାଏ। କିଛି କ୍ଷେତ୍ରରେ ଏହା ନିମୋନିଆ ଓ ଗୁରୁତର ଶ୍ବାସକ୍ରିୟା ରୋଗ ସୃଷ୍ଟି କରିଥାଏ। ସାଧାରଣତଃ ସଂକ୍ରମିତ ପକ୍ଷୀ ବା ପଶୁଙ୍କ ସଂସ୍ପର୍ଶରେ ଆସିବାର ଆଠରୁ ଦଶ ଦିନ ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଇଥାଏ। ତେଣୁ ସଂକ୍ରମଣର ସୂଚନା ମିଳିବା ମାତ୍ରେ ପକ୍ଷୀଙ୍କଠାରୁ ଦୂରରେ ରହିବା, ମାସ୍କ ପିନ୍ଧିବା ଏବଂ ସାବୁନରେ ହାତ ଧୋଇବା ଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ବାର୍ଡ ଫ୍ଲୁ ସଂକ୍ରମଣ: ଭୟ କରନ୍ତୁ ନାହିଁ, ସଚେତନ ରୁହନ୍ତୁ

ବର୍ତ୍ତମାନ ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। କୁକୁଡ଼ାଙ୍କ ମଧ୍ୟରେ ଏହି ରୋଗ ବ୍ୟାପିବା ପରେ ଏହା ମଣିଷକୁ ସଂକ୍ରମିତ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ବିଶେଷଜ୍ଞଙ୍କ ମତରେ, ମଣିଷକୁ ଏହି ରୋଗ ବ୍ୟାପିବାର ସମ୍ଭାବନା ଖୁବ୍ କମ୍। ଯଦି ଆମେ ସଠିକ୍ ସତର୍କତା ଅବଲମ୍ବନ କରିବା, ତେବେ ଏହି ଭୂତାଣୁ ପକ୍ଷୀଙ୍କ ଠାରୁ ମନୁଷ୍ୟ ଶରୀରକୁ ବ୍ୟାପିବ ନାହିଁ। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ମଣିଷ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେବାର ଖବର ମିଳିନାହିଁ।

ବାର୍ଡ ଫ୍ଲୁ କ’ଣ ଏବଂ ଏହାର ପ୍ରକାର ?

ବାର୍ଡ ଫ୍ଲୁ ଏକ ଭୂତାଣୁ (Virus) ଜନିତ ରୋଗ, ଯାହା ମୁଖ୍ୟତଃ ‘ଏଭିଏନ ଇନଫ୍ଲୁଏଞ୍ଜା’ ଭାଇରସ H5N1 ଯୋଗୁଁ ହୋଇଥାଏ। ଏହା ବିଶେଷ ଭାବରେ ବନ୍ୟଜନ୍ତୁ ଓ ପକ୍ଷୀଙ୍କୁ ଆକ୍ରାନ୍ତ କରିଥାଏ। ବାର୍ଡ ଫ୍ଲୁର ବିଭିନ୍ନ ପ୍ରକାର ରହିଛି, ଯେଉଁଥିମଧ୍ୟରୁ H5N1 ଏବଂ H7N9 ମନୁଷ୍ୟ ଶରୀର ଉପରେ ପ୍ରଭାବ ପକାଇବାର କ୍ଷମତା ରଖନ୍ତି। ଯଦିଓ ଏହା ମଣିଷ ପାଇଁ ବିପଜ୍ଜନକ ହୋଇପାରେ, କିନ୍ତୁ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣଙ୍କୁ ଏହି ରୋଗ ବ୍ୟାପିବା ସମ୍ଭାବନା ଖୁବ୍ କମ୍।

କିପରି ବ୍ୟାପିଥାଏ ଏହି ଭୂତାଣୁ?

ଏହି ଭୂତାଣୁ ସଂକ୍ରମିତ ପକ୍ଷୀଙ୍କ ଠାରୁ ମଣିଷକୁ ବ୍ୟାପିଥାଏ। ବିଶେଷ କରି ସଂକ୍ରମିତ ପକ୍ଷୀର ଲାଳ, ମଳ ବା ଅନ୍ୟ ତରଳ ପଦାର୍ଥର ସଂସ୍ପର୍ଶରେ ଆସିବା ଦ୍ୱାରା ମନୁଷ୍ୟ ଆକ୍ରାନ୍ତ ହୋଇଥାଏ। ପକ୍ଷୀ ରହୁଥିବା ସ୍ଥାନର ଧୂଳିକଣା ମାଧ୍ୟମରେ ଏହା ମଣିଷର ନାକ, ଆଖି ଓ ପାଟି ଦେଇ ଶରୀରରେ ପ୍ରବେଶ କରିଥାଏ। ଯେଉଁମାନେ କୁକୁଡ଼ା ଫାର୍ମରେ କାମ କରନ୍ତି, ସଂକ୍ରମିତ ଅଞ୍ଚଳକୁ ଯାଆନ୍ତି କିମ୍ବା ଅଧା ରନ୍ଧା ହୋଇଥିବା ଚିକେନ୍ ଓ ଅଣ୍ଡା ଖାଆନ୍ତି, ସେମାନଙ୍କୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଥାଏ। ଏହାବ୍ୟତୀତ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ସତର୍କ ରହିବା ଆବଶ୍ୟକ।

ଲକ୍ଷଣ ଓ ପ୍ରଭାବ

ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ଶରୀରର ତାପମାତ୍ରା ପ୍ରାୟ 100.4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଥଣ୍ଡା, ଜ୍ୱର, ମୁଣ୍ଡବିନ୍ଧା, କାଶ ଓ ବାନ୍ତି ଭଳି ଲକ୍ଷଣ ଦେଖାଯାଏ। ଏହାପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ସହ ନାକ ନାଲି ପଡ଼ିଯାଏ ଏବଂ ତଣ୍ଟି ଦରଦ ହୋଇଥାଏ। ଏହି ଭୂତାଣୁ ଶରୀରର ଫୁସଫୁସ, ମସ୍ତିଷ୍କ ଓ ଶ୍ୱାସକ୍ରିୟା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ।

ନିରାକରଣ ଓ ସୁରକ୍ଷା ବ୍ୟବସ୍ଥା

ସଂକ୍ରମଣରୁ ବର୍ତ୍ତିବା ପାଇଁ ସତର୍କତା ହିଁ ଏକମାତ୍ର ଉପାୟ। ପକ୍ଷୀ କିମ୍ବା ଗୋରୁଙ୍କ ସେବା କରିବା ସମୟରେ ହାତରେ ଗ୍ଲୋବ୍ସ, ମୁହଁରେ ମାସ୍କ ଓ ଆଖିରେ ଚଷମା ବ୍ୟବହାର କରନ୍ତୁ। ଚିଡ଼ିଆଖାନା କିମ୍ବା ଫାର୍ମରୁ ଫେରିବା ପରେ ହାତକୁ ଭଲ ଭାବେ ସାବୁନରେ ଧୁଅନ୍ତୁ ଏବଂ ପିନ୍ଧିଥିବା ଚପଲକୁ ଘର ବାହାରେ ସଫା କରନ୍ତୁ। ସଂକ୍ରମିତ ପକ୍ଷୀଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ସରକାରଙ୍କ ଦ୍ୱାରା ଜାରି ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ।

ଚିକିତ୍ସା

ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଉପରୋକ୍ତ ଲକ୍ଷଣ ଦେଖାଯାଏ, ତେବେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆବଶ୍ୟକ ପଡ଼ିଲେ ରକ୍ତ ପରୀକ୍ଷା କରାନ୍ତୁ ଏବଂ ନିଜକୁ ଆଇସୋଲେସନରେ ରଖନ୍ତୁ। ସଠିକ୍ ସମୟରେ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଗ୍ରହଣ କଲେ ଏହି ରୋଗରୁ ମୁକ୍ତି ମିଳିପାରିବ, ନଚେତ୍ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।