ଭୁବନେଶ୍ୱର : ନାଜି ଜର୍ମାନୀର ଆକ୍ରମଣକୁ ବେଖାତିର କରି ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁ ପଟନାୟକ ଯେଉଁ ସାହସ ଓ ପରାକ୍ରମ ଦେଖାଇ ଥିଲେ ସେଥିପାଇଁ ଆଜି ଅଶି ବର୍ଷ ପରେ ରୁଷିଆ ପକ୍ଷରୁ ବିଜୁ ବାବୁଙ୍କୁ ସମ୍ମାନିତ କରିବା ପାଇଁ ତାଂକ ପୁଅ ନବୀନ ପଟନାୟକଙ୍କ ପାଖକୁ ନିମନ୍ତ୍ରଣ ଆସିବା ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ।
ଓଡ଼ିଆ ଅସ୍ମିତା ପରିଷଦ ଏହାକୁ ସ୍ୱାଗତ କରୁଛି । ବିଜୁ ବାବୁଙ୍କ ସ୍ୱାଧୀନତା ସଂଗ୍ରାମକୁ ଅବଦାନ, ଦ୍ୱତୀୟ ବିଶ୍ୱ ଯୁଦ୍ଧ, ଇଣ୍ଡୋନେସିଆ ସଂଗ୍ରାମ, ଭାରତ -ଚୀନ, ଭାରତ -ପାକିସ୍ତାନ ଯୁଦ୍ଧ ଓ କାଶ୍ମୀର ଆକ୍ରମଣ ବେଳେ ୧୯୪୭ ରେ ତାଂକ ଭୂମିକା ଉପରେ ସ୍କୁଲ ବହିରେ ବିସ୍ତୃତ ଲେଖା ପ୍ରକାଶ ପାଇଲେ ଆଗାମୀ ପିଢ଼ି ତାଂକ ଦେଶ ପ୍ରେମ ଓ ଅବଦାନ ଉପରେ ଅବଗତ ହୋଇପାରିବେ ବୋଲି ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା କହିଛନ୍ତି। ମୁଖମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ବିଜୟାନନ୍ଦ ପଟ୍ଟନାୟକ (ବିଜୁ ପଟ୍ଟନାୟକ ଓ ବିଜୁ ବାବୁ ନାମରେ ମଧ୍ୟ ପରିଚିତ, ୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଥିଲେ ।୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ ।ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ ।
ବିବାହ ଓ ପରିବାର
ବିଜୁ ପଟ୍ଟନାୟକ ଜ୍ଞାନ ପଟ୍ଟନାୟକଙ୍କୁ ୧୯୩୮ ମସିହାରେ ବିବାହ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ। ତାଙ୍କ ଝିଅ ଗୀତା ମେହେଟା ଜଣେ ଲେଖିକା। ତାଙ୍କର ବଡ ପୁଅ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ।
କର୍ମ ଜୀବନ
ବିମାନ ଚାଳକ ଭାବେ : ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାରୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ୨୦-୨୪ ଫେବୃୟାରୀ ୨୦୧୯ ମସିହାରେ ଅନୁଷ୍ଠିତ ଏୟାର ଶୋ’ରେ ପ୍ରଦର୍ଶିତ ହୋଇଥିଲା ।
ରାଜନୈତିକ ଜୀବନ
ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ ।[୯] ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମ ଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ[୧୦] ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ।
୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା ପରେ ତାଙ୍କ ପୁରୁଣା ବନ୍ଧୁ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜଃପଃ ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ । ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣି ଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉ ଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ ।
ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଙ୍ଘୀୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୂତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ । ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁଃସାହସିକ ବ୍ୟକ୍ତି ବୋଲି କହିଥିଲେ । ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ ” ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମ କରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।”
ବିଜୁ ପଟ୍ଟନାୟକଙ୍କଦ୍ୱାରା ସ୍ଥାପିତ ପୁରସ୍କାର
ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋଦ୍ୱାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରକୁ ଅନ୍ତର୍ଜାତୀୟ ବୈଜ୍ଞାନିକ ଗୋଷ୍ଠୀ ଏକ ସମ୍ମାନ ଜନକ ପୁରସ୍କାର ଭାବେ ଗ୍ରହଣ କରେ ।
ବିଜୁ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ
ସେ କଳିଙ୍ଗ ଟାଇଲ୍ସ୍, କଳିଙ୍ଗ ଟ୍ୟୁବ୍ସ୍, କଳିଙ୍ଗ ଆଇରନ ୱାର୍କ୍ସ୍, କଳିଙ୍ଗ ଏୟାରଲାଇନ୍ସ୍ ଓ କଳିଙ୍ଗ ରିଫ୍ରାକଟୋରିଜ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ରାଜ୍ୟର ପ୍ରଗତି ପାଇଁ ତାଙ୍କରି ଉଦ୍ୟମରେ ନିମ୍ନଲିଖିତ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।
- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT Archived 2002-08-16 at the Wayback Machine.)
- ଆଞ୍ଚଳିକ ଶିକ୍ଷାନୁଷ୍ଠାନ (ଭୁବନେଶ୍ୱର)
- ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ୱର)
- ସୈନିକ ସ୍କୁଲ, ଭୁବନେଶ୍ୱର
- ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ , ରାଉରକେଲା
- ମିଗ୍ ବିମାନ କାରଖାନା, ସୁନାବେଡ଼ା (କୋରାପୁଟ) Archived 2011-04-27 at the Wayback Machine.
- ପାରାଦ୍ୱୀପ ବନ୍ଦର
- ଓଡ଼ିଶା ବୟନଶିଳ୍ପ କଳ , ଚୌଦ୍ୱାର
- ରାଉରକେଲା ଇସ୍ପାତ କଳ
- ତାଳଚେର ଥର୍ମାଲ ପ୍ରକଳ୍ପ
- ନାଲ୍କୋ ପ୍ରକଳ୍ପ
- ଦୈତାରୀ ଲୌହ ଇସ୍ପାତ କାରଖାନା
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
- ସମ୍ବଲପୁର ବିଶ୍ୱବିଦ୍ୟାଳୟ
- ବୁର୍ଲା ବୈଷୟିକ ଓ ଚିକିତ୍ସା କଲେଜ
- ବଡ଼ବିଲ ଲୁହା କାରଖାନା[୧୫]
- ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ
ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଅଛନ୍ତି । ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ସେଥିମଧ୍ୟରୁ ଅନ୍ୟତମ । ତାଙ୍କ ଜନ୍ମ ଦିବସ ମାର୍ଚ ୫କୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରାଯାଉଛି ।
ବିଜୁ ପଟ୍ଟନାୟକଙ୍କ ନାମରେ ଥିବା ଅନୁଷ୍ଠାନ
- ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ଅନୁଷ୍ଠାନ
- ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକନୋଲଜି, ରାଉରକେଲା
ଚଳଚ୍ଚିତ୍ର - ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ଜାତୀୟତାବୋଧ ଉପରେ “ବିଜୁ ବାବୁ” ନାମକ ଚଳଚ୍ଚିତ୍ର ୨୦୧୯ ମସିହା ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିଲା ।
- ବିଜୁ ପଟ୍ଟନାୟକ ବିମାନ ବନ୍ଦର
- ବିଜୁ ପଟ୍ଟନାୟକ ପାର୍କ