ଦଶମ ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍: ବାଳିକାରେ ବିହାର ଚାମ୍ପିଅନ, ଓଡ଼ିଶା ଦ୍ବିତୀୟ ରନର୍ସ ଅପ୍ ସହ କାଂସ୍ୟ ପଦକ ବିଜେତା
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗ୍ବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗ୍ବୀ ଆସୋସିଏସନ୍ର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ‘ଦଶମ ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ର ଅଣ୍ଡର-୧୫ ବାଳିକା ବର୍ଗରେ ବିହାର ଚାମ୍ପିଅନ ହୋଇଛି। ଏହି ରୋମାଞ୍ଚକର ପ୍ରତିଯୋଗିତାରେ ମହାରାଷ୍ଟ୍ର ପ୍ରଥମ ରନର୍ସ ଅପ୍ ହୋଇ ରୌପ୍ୟ ପଦକ ଜିତିଥିବା ବେଳେ ଲଢୁଆ ତଥା ପ୍ରଶଂସନୀୟ ପ୍ରଦର୍ଶନ କରି ଓଡ଼ିଶା ଦ୍ବିତୀୟ ରନର୍ସ ଅପ୍ ସହ କାଂସ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛି।
କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ବାଳିକା ବର୍ଗର ସବ୍-ଜୁନିୟର (ଅଣ୍ଡର-୧୫) ଜାତୀୟ ରଗ୍ବୀ ସେଭେନ୍ସ ଚାମ୍ପିଅନସିପ୍ ଶନିବାର ସଫଳତାର ସହ ଶେଷ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ବିହାର ଦଳ ଗତବର୍ଷର ପରାଜୟର ପ୍ରତିଶୋଧ ନେବା ସହ ମହାରାଷ୍ଟ୍ରକୁ ୩୪-୭ ପଏଣ୍ଟରେ ପରାସ୍ତ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଗତ ୬ ବର୍ଷ ମଧ୍ୟରେ ଏହା ବିହାରର ପଞ୍ଚମ ସଫଳତା। ଅନ୍ୟପଟେ, ଘରୋଇ ଓଡ଼ିଶା ଦଳ ନିଜର ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖି ରାଜସ୍ଥାନକୁ ୪୭-୫ ପଏଣ୍ଟର ଏକ ବଡ଼ ବ୍ୟବଧାନରେ ହରାଇ ତୃତୀୟ ସ୍ଥାନ ହାସଲ ସହ କାଂସ୍ୟ ପଦକ ଜିତିଛି। ସେମିଫାଇନାଲରେ ଓଡ଼ିଶା ଦଳ ମହାରାଷ୍ଟ୍ରଠାରୁ ୧୪-୧୭ ପଏଣ୍ଟରେ ସାମାନ୍ୟ ପଛରେ ରହି ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲେ ମଧ୍ୟ କାଂସ୍ୟ ପଦକ ମ୍ୟାଚରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପ୍ରଶଂସିତ ହୋଇଥିଲା।
ଟୁର୍ଣ୍ଣାମେଣ୍ଟର ବ୍ୟକ୍ତିଗତ ପ୍ରଦର୍ଶନ କ୍ଷେତ୍ରରେ ଓଡ଼ିଶାର ତାରକା ଖେଳାଳି ସୁମି ଗାଗାରାଇ ସମସ୍ତଙ୍କୁ ପଛରେ ପକାଇ ମୋଟ ୧୦୪ ପଏଣ୍ଟ ସହ ଶୀର୍ଷ ସ୍କୋରର ବିବେଚିତ ହୋଇଛନ୍ତି। ବିହାରର କୋମଲ କୁମାରୀ (୬୬ ପଏଣ୍ଟ) ଏବଂ ରୋଶନୀ କୁମାରୀ (୫୬ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ଦାଦ୍ରା ଏବଂ ନଗର ହାଭେଲି ତଥା ଦାମନ ଓ ଦିଉ (DNHDD) ଏବଂ ଚଣ୍ଡିଗଡ଼ ଦଳ ପ୍ରଥମ ଥର ପାଇଁ ଶ୍ରେଷ୍ଠ ଆଠଟି ଦଳ ମଧ୍ୟରେ ସ୍ଥାନ ପାଇଛନ୍ତି। ସାରା ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୧୮୦୦ ପଏଣ୍ଟ ସଂଗୃହୀତ ହୋଇଥିବା ବେଳେ ୧୧୨ ଜଣ ଖେଳାଳି ପଏଣ୍ଟ ସ୍କୋର କରିବାରେ ସଫଳ ହୋଇଛନ୍ତି।

ଉଦ୍ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଦଭ, କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ବାଇଁ, ରଗ୍ବୀ ଇଣ୍ଡିଆ ସଭାପତି ରାହୁଲ୍ ବୋଷ, ଭାରତୀୟ ରଗ୍ବୀ ଫୁଟବଲ୍ ୟୁନିୟନ (ଆଇଆର୍ଏଫୟୁ)ର ସମ୍ପାଦକ ଶ୍ରୀ ଜେରାଲ୍ଡ ପ୍ରଭୁ, ଓଡ଼ିଶା ରଗ୍ବୀ ଫୁଟବଲ ଆସୋସିଏସନ୍ର ସଭାପତି ଶ୍ରୀ ପ୍ରିୟଦର୍ଶି ମିଶ୍ର ଓ ଉପସଭାପତି ଶ୍ରୀ ଉପେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ଉଦ୍ଯାପନୀ ଉତ୍ସବରେ ବିଜେତା ଦଳକୁ ଚାମ୍ପିଅନ ଟ୍ରଫି, ସ୍ବର୍ଣ୍ଣପଦକ ଓ ଆର୍ଥିକ ପୁରସ୍କାର ରାଶିର ଚେକ୍ ପ୍ରଦାନ କରାଯାଇଥିଲା। ସେହିପରି ପ୍ରଥମ ଓ ଦ୍ବିତୀୟ ରନର୍ସଅପ୍କୁ ଟ୍ରଫି ସହ ପଦକ ଓ ଆର୍ଥିକ ପୁରସ୍କାର ରାଶିର ଚେକ୍ ଦିଆଯାଇଥିଲା।
ଆଜି ‘ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍’ ବାଳିକା ବର୍ଗର ମ୍ୟାଚ୍ ଶେଷ ହୋଇଥିବା ବେଳେ, ଅଣ୍ଡର-୧୫ ବାଳକ ବର୍ଗର ଖେଳ ଆସନ୍ତା ଜାନୁଆରୀ ୨୦ ଏବଂ ୨୧ ତାରିଖରେ ସମାନ ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି।