ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା: ରାୟଗଡ଼ା ଓ କନ୍ଧମାଳରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ
ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ସରକାରଙ୍କ ପୁନର୍ବାସ ନୀତି ଆପଣଙ୍କୁ ଏକ ସମ୍ମାନଜନକ ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିବ। - ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ, ଡିଜିପି, ଓଡ଼ିଶା
ଭୁବନେଶ୍ୱର : ଓଡ଼ିଶାକୁ ମାଓବାଦ ମୁକ୍ତ କରିବା ଦିଗରେ ରାଜ୍ୟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ କାର୍ଯ୍ୟକଳାପକୁ ସମୂଳେ ନିପାତ କରିବା ପାଇଁ ଓଡ଼ିଶା ପୋଲିସ ଦୃଢ଼ ସଙ୍କଳ୍ପବଦ୍ଧ ଥିବାବେଳେ, ଏହି କ୍ରମରେ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ମୋଟ ୧୯ ଜଣ ସକ୍ରିୟ ମାଓବାଦୀ ହିଂସା ଛାଡ଼ି ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (BGN) ଡିଭିଜନର ୧୫ ଜଣ ମାଓ କ୍ୟାଡର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଜଣ ପ୍ରଭାବଶାଳୀ ରାଜ୍ୟ କମିଟି ସଦସ୍ୟ ନିଖିଲ @ ନିରଞ୍ଜନ ରାଉତ (ଜଗତସିଂହପୁର) ଓ ଅଙ୍କିତା @ ରଶ୍ମୀତା ଲେଙ୍କା (କଟକ) ଅନ୍ତର୍ଭୁକ୍ତ। ଉଭୟଙ୍କ ମୁଣ୍ଡ ଉପରେ ସରକାରଙ୍କ ପକ୍ଷରୁ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଶେଷକରି ନିରଞ୍ଜନ ରାଉତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସକ୍ରିୟ ରହି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲେ। ଆତ୍ମସମର୍ପଣ କରିଥିବା ଏହି କ୍ୟାଡରମାନଙ୍କ ନିକଟରୁ AK-47, SLR ଏବଂ ଇନସାସ୍ ଭଳି ୧୪ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ପୋଲିସକୁ ବଡ଼ ସଫଳତା ମିଳିଛି। କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (KKBN) ଡିଭିଜନର ୪ ଜଣ ସକ୍ରିୟ ସଦସ୍ୟ— ଗଙ୍ଗା କୁଞ୍ଜାମି, ମୁଚାକି ମାସେ, ଚୋମାଲି କୁଞ୍ଜମ୍ ଓ ବନ୍ଦୀ ମାଡ଼ଭି ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ନିଜ ସହିତ ବହୁ ପରିମାଣର ଗୋଳାବାରୁଦ ଓ ରାଇଫଲ୍ ମଧ୍ୟ ପୋଲିସ ନିକଟରେ ଜିମା ଦେଇଛନ୍ତି। ଏହି ମାଓବାଦୀମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ସଂଗୀନ ମାମଲା ରହିଥିଲା।
ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଦ୍ୱାରା ଅନୁପ୍ରାଣିତ ହୋଇ ମାଓବାଦୀମାନେ ଏବେ ହିଂସା ଛାଡ଼ିବାକୁ ଆଗେଇ ଆସୁଛନ୍ତି। ଆତ୍ମସମର୍ପଣ କରୁଥିବା ବ୍ୟକ୍ତିମାନଙ୍କୁ ସରକାରୀ ସୁବିଧା ଓ ସୁରକ୍ଷା ଯୋଗାଇ ଦିଆଯାଉଛି। ହିଂସା ଛାଡ଼ି ଶାନ୍ତିର ଜୀବନ ବିତାଇବାକୁ ସେ ଅନ୍ୟ ମାଓବାଦୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଗାମୀ ଦିନରେ ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।