BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

’ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଜ୍ଞାନ ଅପରିହାର୍ଯ୍ୟ’

ବଇରୀକୁମ୍ପା ରାଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ

ଫିରିଙ୍ଗିଆ: ଭବିଷ୍ୟତ ଜୀବନ ଗଢିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଜ୍ଞାନ ରହିବା ଏକାନ୍ତ ଅପରିହାର୍ଯ୍ୟ। ନିୟମିତ ଅଭ୍ୟାସ ଓ ସମୟର ସଠିକ୍ ସଦୁପଯୋଗ ହିଁ ଜଣେ ସାଧାରଣ ଛାତ୍ରକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ସହିତ ତା’ର ବ୍ୟକ୍ତିତ୍ୱକୁ ସୁଦୃଢ଼ କରିଥାଏ। ଶୃଙ୍ଖଳିତ ଜୀବନଶୈଳୀ କେବଳ ଶୃଙ୍ଖଳା ଶିଖାଏ ନାହିଁ, ବରଂ ଜୀବନର ପ୍ରତିଟି କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅପୂର୍ବ ଆତ୍ମବିଶ୍ୱାସ ମଧ୍ୟ ଯୋଗାଇଥାଏ। ପ୍ରକୃତରେ, ଯେଉଁ ଛାତ୍ର ସମୟର ମୂଲ୍ୟ ବୁଝି ନିଜର କର୍ତ୍ତବ୍ୟ ସମ୍ପାଦନ କରେ, ତା’ ପାଇଁ ଏକ ଉଜ୍ଜ୍ୱଳ ଓ ସୁରକ୍ଷିତ ଭବିଷ୍ୟତର ଦ୍ୱାର ସର୍ବଦା ଉନ୍ମୁକ୍ତ ରହିଥାଏ ବୋଲି ଫିରିଙ୍ଗିଆ ବ୍ଲକ ଅଧୀନସ୍ଥ ବଇରୀକୁମ୍ପା ସ୍ଥିତ ରାଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫୁଲବାଣୀ ବିଧାୟକ ଉମାଚରଣ ମଳିକ ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଶ୍ରୀ ମଳିକ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ବ୍ୟାସକବି ଫକୀର ମୋହନ ସେନାପତି ଓ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଦୁଗୁନି କହଁର ବିଦ୍ୟାଳୟ ଓ ଅଞ୍ଚଳର ବିକାଶ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରିଥିଲେ। ସେ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ପରୀକ୍ଷା ହଲ୍, ଖେଳ ପଡ଼ିଆ ଓ ଡାଇନିଙ୍ଗ ହଲ୍‌ର ଆବଶ୍ୟକତା ସହ ଅଞ୍ଚଳରେ ଏକ ଡାକ୍ତରଖାନା ଓ ରାଜସ୍ୱ ନିରୀକ୍ଷକ (RI) କାର୍ଯ୍ୟାଳୟ ସ୍ଥାପନ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଶ୍ରୀ ମଳିକ ଏହି ଦାବିଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ସହ ଖେଳପଡ଼ିଆ ଓ ଡାଇନିଙ୍ଗ ହଲ୍ ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବ ବୋଲି କହିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ କେଲାପଡ଼ା ସରପଞ୍ଚ ଶ୍ରୀମତୀ ସ୍ୱର୍ଣ୍ଣଲତା ପ୍ରଧାନ, ଭୃଙ୍ଗିଯୋଡି ସରପଞ୍ଚ, ସମିତି ସଭ୍ୟ ଏବଂ ‘ଭରସା ଲାଇଭ’ର ସମ୍ପାଦକ ଅକ୍ଷୟ କୁମାର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ। ପ୍ରଧାନ ଶିକ୍ଷକ ମୁରଲୀଧର ଦାସ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ରାଜେନ୍ଦ୍ର କୁମାର କହଁର, ପ୍ରତିଷ୍ଠାତା ସଭାପତି ଦୁଗୁନି କହଁର ଏବଂ ଭୂମିଦାତ୍ରୀ କିନୁରୀ କହଁରଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁନା କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ନାୟକ ସଞ୍ଚାଳନ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।