ଫୁଲବାଣୀ: ଫୁଲବାଣୀ ବନଖଣ୍ଡ ପକ୍ଷରୁ ଜିଲାସ୍ତରୀୟ ୭୬ତମ ବନ ମହୋତ୍ସବ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କୋଟପାଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲାର ସାମାଜିକ କର୍ମୀ ପରିବେଶ ପ୍ରେମୀ ଅଶୋକ ପରିଡାଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କାର୍ଯ୍ୟକ୍ରମରେ ବାଲିଗୁଡା କଲେଜର ଅଧ୍ୟାପକ ବିଭୁତି ଭୂଷଣ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବ୍ଲକର ୮ ଜଣଙ୍କୁ ପ୍ରକୃତି ବନ୍ଧୁ ଓ ସୁଡ୍ରୁକୁମ୍ପା ନୂଆସାହି ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ବନ ପୁରସ୍କାର ପ୍ରଦାନ କରାଯାଇଥିଲା।ଫୁଲବାଣୀ ବନଖଣ୍ଡର ସମସ୍ତ ବନପାଳ ଓ ଫରେଷ୍ଟରମାନେ ଯୋଗଦାନ କରିଥିବା ବେଳେ ଫୁଲବାଣୀ ଏସିଏଫ ଶ୍ୱେତଲିନା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଏହି ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାଚକ୍ରରେ ଜଙ୍ଗଲ ସୁରକ୍ଷା ,ବୃକ୍ଷ ରୋପଣ, ବୃକ୍ଷକୁ ବଞ୍ଚାଇବା, ପରିବେଶ ସୁରକ୍ଷା,ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା,ଜୈବ ବିବିଧତା ରକ୍ଷା କରିବା, ଜଳ ପରିଚାଳନା, ଉତ୍ତାପ ବୃଦ୍ଧି, ମୃତ୍ତିକା ସଂରକ୍ଷଣ, ଜଳର ପୁନଭରଣ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ବୌଦ୍ଧ ଜଙ୍ଗଲ ବିଭାଗ କର୍ପୋରେସନର ସାଧାରଣ ପରିଚାଳକ ପ୍ରଭାକର ନାୟକ, ଜି ଉଦୟଗିରି ଫରେଷ୍ଟ ତାଲିମ କଲେଜର ଅଧ୍ୟକ୍ଷ ଦିବାକର ବେହେରା ବାଲିଗୁଡା ଏସିଏଫ ସୂର୍ଯ୍ୟକାନ୍ତ ବେହେରା, ଜି ଉଦୟଗିରି ଏସିଏଫ କାଜଲ ନାୟକ, ଫୁଲବାଣୀ ବନଖଣ୍ଡର ସ୍ୱଛାସେବୀ ପାଟନର ପାହାଡର ନିର୍ଦ୍ଦେଶକ ପଞ୍ଚାନନ ମିଶ୍ର ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ୭୬ତମ ବନ ମହୋତ୍ସବ ପାଳନ ଅବସରରେ ସକାଳୁ କେନ୍ଦ୍ରୀୟ ବିଦ୍ୟାଳୟ ପାର୍କ ନିକଟରେ ବୃକ୍ଷ ରୋପଣ କରାଯାଇଥିଲା। ବହୁ ଛାତ୍ରଛାତ୍ରୀ ଓ ବନସଂରକ୍ଷଣ ସମିତି ସଦସ୍ୟ ପାହାଡର କର୍ମକର୍ତ୍ତା ଯୋଗଦାନ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ୧୯୯୨ ମସିହାରୁ ଜିଲା ପରିବେଶ ସମିତି ଆନୂକୁଲ୍ୟରେ ଅବିଭକ୍ତ ବୌଦ୍ଧ ଫୁଲବାଣୀ ଜିଲାରେ ପରିବେଶ ପ୍ରେମୀ ଅଶୋକ ପରିଡା ଜଙ୍ଗଲ ସୁରକ୍ଷା ଓ ପରିବେଶ ସୁରକ୍ଷା ସଚେତନତା ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଆସୁଛନ୍ତି। ଗୁଦାରୀ ଓ ରାଶିମେଣ୍ଡି ଠାରେ ବୃକ୍ଷ ରୋପଣ କରି ୧୯୯୩ ମସିହାରେ ‘ମାନୀ’ ସ୍ୱଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ। ୧୯୯୪ରେ ଫୁଲବାଣୀ ବିଞାପିତ ଅଞ୍ଚଳ ପକ୍ଷରୁ ଉଦ୍ଭିଦ ମିତ୍ର ଓ ୧୯୯୬ ମସିହାରେ ଶ୍ରେଷ୍ଠ ପରିମଳ ପୁରସ୍କାର ପ୍ରଦାନ କରାଯାଇଥିଲା।