ଓଲଟପୁର ଏସଭିନିରତାରରେ ଚିକିତ୍ସିତ ହେଉଛନ୍ତି କନ୍ଧମାଳର ସାମାଜିକ କର୍ମୀ ଅଶୋକ ପରିଡା
ଫୁଲବାଣୀ: କେନ୍ଦ୍ର ସରକାର ୧୯୭୫ମସିହାରେ କଟକ ଓଲଟପୁର ଠାରେ ଦିବ୍ୟାଙ୍ଗଜନଙ୍କ ଭୌତିକ ଚିକିତ୍ସା ପାଇଁ ଏସଭିନିର୍ତ୍ତାର (ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସଂନ୍ଧାନ କେନ୍ଦ୍ର) ସ୍ଥାପନ କରି ଫିଜିଓଥେରାପି ,ସ୍ପିଚ ଥେରାପି,ଅପରେସନ ଇତ୍ୟାଦି ଚିକିତ୍ସା ଯୋଗାଇ ଦେଉଛନ୍ତି। କେବଳ ଦେଶର ନୁହେଁ,ଏସିଆ ମହାଦେଶର ଏହା ଏକ ପ୍ରମୁଖ ଅନୁଷ୍ଠାନ ଭାବେ ପରିଚିତ। କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମାଜିକ କର୍ମୀ ତଥା ସାମ୍ବାଦିକ ଅଶୋକ ପରିଡା ପୁନଃ ବାକଶକ୍ତି ହରାଇଥିବାରୁ ଗତ ଏକ ସପ୍ତାହ ଧରି ବାକ୍ ଚିକିତ୍ସକ ଡଃ ଜୟ ଶଙ୍କର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ସଫଳତାର ସହ ଜାରି ରହିଛି।
ଗତ ୨୦୨୪ରେ ଅଶୋକ ପରିଡା ନିମୋନିଆରେ ଆକ୍ରାନ୍ତ ହୋଇ ତାଙ୍କର ସ୍ୱରପେଟିକା ସଂକ୍ରମିତ ହୋଇଥିଲା ବେଳେ ନିର୍ତ୍ତାରରେ ଚିକିତ୍ସିତ ହୋଇଥିଲେ। ଏବେ କଥା କହିବା ଶକ୍ତି ପୁନର୍ବାର ହରାଇବାରୁ ବାକ ଚିକିତ୍ସକ ଡଃ ଜୟ ଶଙ୍କର ପଣ୍ଡା ଓ ସାଥି ଚିକିତ୍ସକ ଡଃ ଶୁଭଶ୍ରୀ ମିଶ୍ର, ଧୃତିସୁନ୍ଦର ସାହୁ ପ୍ରମୁଖଙ୍କ ଚିକିତ୍ସା ଓ ବିଶ୍ୱରଞନ ପରିଡାଙ୍କ ସହଯୋଗରେ ଆସ୍ତେ ସେ ଆରୋଗ୍ୟ ହେଉଛନ୍ତି।
ଡଃ ଜୟ ଶଙ୍କର ପଣ୍ଡା ଜଣେ ସମ୍ବେଦନଶୀଳ ବରିଷ୍ଠ ଚିକିତ୍ସକ। ରୋଗୀଙ୍କୁ ଉତ୍ସାହିତ କରି ମନୋବଳ ବୃଦ୍ଧି କରିଥାନ୍ତି। ଏସଭିନିର୍ତ୍ତାରରେ ବର୍ତ୍ତମାନ ଡଃ ପତିତପାବନ ମହାନ୍ତି ନିର୍ଦ୍ଦେଶକ ଅଛନ୍ତି।
ପ୍ରତ୍ୟହ ଅନ୍ତଃ ବିଭାଗ ଓ ବହିଃବିଭାଗରେ ପାଞ୍ଚଶହ ପ୍ରାୟ ରୋଗୀ ଆସୁଥିବା ବେଳେ ନିର୍ଦ୍ଦେଶକ ନିଜେ ଆଉଟଡୋରରେ ଚିକିତ୍ସା କରିଥାନ୍ତି। ଏହି କେନ୍ଦ୍ରରେ ଚିକିତ୍ସା ଯୋଗାଇ ଦେଉଥିବା ଚିକିତ୍ସକମାନେ ରୋଗୀମାନଙ୍କ ପ୍ରତି ସମ୍ବେଦନଶୀଳ ଥାନ୍ତି।
କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ନିର୍ମାଣ କେନ୍ଦ୍ର (ଆଲମିକୋ)ପକ୍ଷରୁ ଜିତେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ କୃତ୍ରିମ ଅଙ୍ଗ ନିର୍ମାଣ କରି ବରିଷ୍ଠ ଓ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଯୋଜନାରେ ଦେବାର ବ୍ୟବସ୍ଥା ରହିଛି। ଆୟୁଷ୍ମାନ ଭାରତ ଭଳି ଦିବ୍ୟାଙ୍ଗମାନଙ୍କ ଅଧିକ ଚିକିତ୍ସା ପାଇଁ ନିରାମୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତାର ସୁଯୋଗ ନେବାକୁ ବିଚତ୍ର କୁମାର ସାହୁ ସୂଚନା ଦେଇଛନ୍ତି।