ସମଗ୍ର ଜୀବନ ସାମାଜିକ ନ୍ୟାୟ ପାଇଁ ଉତ୍ସର୍ଗ କରିଥିଲେ ବାବାସାହେବ ଆମ୍ବେଦକର
ଉତ୍କଳ ବିଶ୍ବବିଦ୍ୟାଳୟରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ
ଭୁବନେଶ୍ବର: ଭାରତ ରତ୍ନ ଡକ୍ଟର ବାବାସାହେବ ଆମ୍ବେଦକର ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ପାଇଁ ଉତ୍ସର୍ଗ କରିଥିଲେ ଓ ଦେଶକୁ ସମ୍ବିଧାନ ଭଳି ଅମୂଲ୍ୟ ଉପହାର ଦେଇଯାଇଛନ୍ତି। ଯାହା ଆଜି ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଭାବେ ସ୍ଥାପିତ ହୋଇଛି। ଏଥିପାଇଁ ଦେଶବାସୀ ତାଙ୍କ ପ୍ରତି ଚିରକୃତଜ୍ଞ ରହିବେ। ବାବାସାହେବ ଆମ୍ବେଦକରଙ୍କର ଦୂରଦୃଷ୍ଟି ଓ ଜ୍ଞାନରୁ ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହେବା ଉଚିତ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦଣ୍ଡପାଟ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟର ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ପକ୍ଷରୁ ପିଜି କାଉନସିଲ ହଲଠାରେ ଭାରତ ରତ୍ନ ଡକ୍ଟର ବାବାସାହେବ ଆମ୍ବେଦକରଙ୍କର ୭୦ତମ ମହାପରିନିର୍ବାଣ ଦିବସ ପାଳନ ଅବସରରେ ’ବିକଶିତ ଭାରତ ପାଇଁ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଦୃଷ୍ଟିକୋଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟର ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର ଗରଡ଼ା ସ୍ୱାଗତ ଭାଷଣ ଅଭିଭାଷଣ ରଖି ଭାରତର ଭବିଷ୍ୟତ ଗଠନରେ ଶିକ୍ଷିତ, କୁଶଳୀ ଏବଂ ସାମାଜିକ ସଚେତନ ଯୁବକମାନଙ୍କ ନିର୍ଣ୍ଣାୟକ ଭୂମିକା ଉପରେ ଆମ୍ବେଦକରଙ୍କ ମାର୍ଗଦର୍ଶନ ଉପରେ ଆଲୋକପାତ କରିଥିଲେ । ସମାବେଶୀ ଅଭିବୃଦ୍ଧି, ସମାଜର ସମସ୍ତ ବର୍ଗର ବିକାଶକୁ ସୁନିଶ୍ଚିତ କରିବା, ଜୀବନର ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ମଜବୁତ କରିବା ଏବଂ ପର୍ଯ୍ୟାପ୍ତ ଭୂମି ସଂସ୍କାର ଏବଂ କୃଷି ବିକାଶ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧତାକୁ ଆଗକୁ ବଢ଼ାଇବା ଉପରେ ପ୍ରଫେସର ଗରଡ଼ା ଗୁରୁତ୍ୱାରୋପ କରିଥିଲେ ।

ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଳପତି ଯଜ୍ଞେଶ୍ବର ପ୍ରଫେସର ଦଣ୍ଡପାଟ ବିକଶିତ ଭାରତ ପାଇଁ ଆମ୍ବେଦକରଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ଶିଳ୍ପାୟନ, ଭୂମି ସଂସ୍କାର ଏବଂ ସାମାଜିକ ସମାନତା ମାଧ୍ୟମରେ ଅର୍ଥନୈତିକ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଇପାରିଲେ ତାହା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ମୂଳଦୁଆ ଭାବେ କାର୍ଯ୍ୟ କରିବ। କୃଷି, ଶିଳ୍ପ, ଆର୍ଥିକ ନୀତି ଏବଂ ଅର୍ଥନୈତିକ ଗଣତନ୍ତ୍ର ଉପରେ ଆମ୍ବେଦକରଙ୍କ ଚିନ୍ତାଧାରା ଦେଶର ବିକାଶମୂଳକ ଆଲୋଚନାକୁ ଆକାର ଦେଇଛି ଏବଂ ପ୍ରକୃତ ବିକଶିତ ଭାରତ ଗଠନ ପାଇଁ କେନ୍ଦ୍ରବିନ୍ଦୁ ହୋଇ ରହିଛି ବୋଲି କୁଳପତି ପ୍ରଫେସର ଦଣ୍ଡପାଟ ପ୍ରକାଶ କରିଥିଲେ।
ସମ୍ମାନୀତ ଅତିଥି ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ମିତାଲି ଚିନ୍ନାରା ତାଙ୍କ ବକ୍ତବ୍ୟରେ ଡକ୍ଟର ଆମ୍ବେଦକରଙ୍କୁ ଜାତୀୟ ପ୍ରଗତିର ମାର୍ଗଦର୍ଶକ ଭାବେ ଅଭିହିତ କରିଥିଲେ। ଆମ୍ବେଦକରଙ୍କ ଦର୍ଶନ ଦେଶକୁ ସମାନତା, ନବସୃଜନ ଏବଂ ସାମୂହିକ ଉନ୍ନତି ଦିଗରେ ମାର୍ଗଦର୍ଶନ ଜାରି ରଖିଛି ଏବଂ ଏହା ବିକଶିତ ଭାରତ ଗଠନରେ ସହାୟକ ହୋଇପାରିବ ବୋଲି କହିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୁଳସଚିବ ଡକ୍ଟର ସ୍ବାତୀ ମିଶ୍ର ବିକଶିତ ଭାରତ ୨୦୪୭ ର ଜାତୀୟ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ଅନ୍ତର୍ଭୂକ୍ତ ବିକାଶ ପାଇଁ ଆମ୍ବେଦକରଙ୍କ ସାମ୍ବିଧାନିକ ଏବଂ ସାମାଜିକ-ଅର୍ଥନୈତିକ ଆଦର୍ଶ ଉପରେ ଅବତାରଣା କରିବା ସହିତ ମହିଳା ସଶକ୍ତିକରଣ ପାଇଁ ଆମ୍ବେଦକରଙ୍କ ଦୃଷ୍ଟିକୋଣ ପ୍ରକୃତରେ ବିକଶିତ ଭାରତକୁ ହୃଦୟଙ୍ଗମ କରିବା ପାଇଁ କେନ୍ଦ୍ରବିନ୍ଦୁ ଅଟେ ବୋଲି କହିଥିଲେ।
ମୁମ୍ବାଇର ଟିଆଇଏସଏସର ପୂର୍ବତନ ଡିନ୍ ପ୍ରଫେସର ସ୍ଥବୀର ଖୋରା ଏକ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ଆମ୍ବେଦକରଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭେଦଭାବ ବିନା ସୁଯୋଗର ସ୍ୱାଧୀନତା ଉପଭୋଗ କରନ୍ତି ବୋଲି ପ୍ରକାଶ କରିଥିଲେ। ବିକଶିତ ଭାରତ ପାଇଁ ଆମ୍ବେଦକରଙ୍କ ରୋଡମ୍ୟାପ୍ ସାମ୍ବିଧାନିକ ନୈତିକତା, ଗଣତାନ୍ତ୍ରିକ ନୈତିକତା ଏବଂ ବ୍ୟବହାରିକ ଶାସନ ଉପରେ ଆଧାରିତ ବୋଲି କହିଥିଲେ।

ସାମ୍ବିଧାନିକ ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟକାରିତା ମାଧ୍ୟମରେ ଆଦିବାସୀ ସମାଜର ବିକାଶରେ ଆମ୍ବେଦକରଙ୍କ ଅବଦାନ ଉପରେ ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକ ଆଲୋଚନା କରିଥିଲେ। ପଞ୍ଚମ ଏବଂ ଷଷ୍ଠ କାର୍ଯ୍ୟସୂଚୀର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସ୍ୱାଧୀନତା, ସମାନତା, ଭ୍ରାତୃଭାବ ଏବଂ ସାମାଜିକ ନ୍ୟାୟ ଉପରେ ପ୍ରତିଷ୍ଠିତ ଏକ ଶ୍ରେଣୀହୀନ, ଜାତିହୀନ ତଥା ସମାନତା ସମାଜର ଆମ୍ବେଦକରଙ୍କ ଦୃଷ୍ଟିକୁ ବ୍ୟାଖ୍ୟା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଦେବେନ୍ଦ୍ର ବିଶ୍ବାଳ, ଡ, ସୁରେଶ ମୁର୍ମୁ, ଡ.ତନ୍ନୟା ମହାନ୍ତି, ସସ୍ମିତା ସାମଲ, ପପେସ୍ କୁମାର ଲେଙ୍କା, ହରପ୍ରସାଦ ନାଏକ, ଦୀପକ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବକ୍ତୃତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଆମ୍ବେଦକର ଅଧ୍ୟୟନ କେନ୍ଦ୍ରର ଉପନିର୍ଦ୍ଦେଣକ ଡକ୍ଟର ପରମାନନ୍ଦ ନାୟକଙ୍କ ଧନ୍ୟବାଦ ଦେଇଥିବାବେଳେ ଡକ୍ଟର ସୁମିତ୍ରା ମୁର୍ମୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।