କୃଷି ସହିତ ଗୋପାଳନ କୃଷକମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସର୍ବଦା ଗୁରୁତ୍ୱ ବହନ କରୁଛି ଓଡ଼ିଶା
-
ମୁଖ୍ୟଶାସନ ସଚିବଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀକାମଧେନୁଯୋଜନା’ର କାର୍ଯ୍ୟକାରିତା ସମୀକ୍ଷା
-
ଗୋ-ପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ
-
ଚାଷୀମାନଙ୍କର ଆର୍ଥିକ ସଶକ୍ତିକରଣ ଲକ୍ଷ୍ୟରେ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା “ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା”ର ସଫଳ କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ଓ ଅଗ୍ରଗତି ସଂପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା । ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ ପୂର୍ବକ ଏହି ଯୋଜନାରୁ ଗୋପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ କିପରି ଅଧିକ ଲାଭବାନ ହୋଇପାରିବେ, ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବ, ସେଥିପାଇଁ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଆମ ଓଡ଼ିଶା କୃଷି ସହିତ ଗୋପାଳନ କୃଷକମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସର୍ବଦା ଗୁରୁତ୍ୱ ବହନ କରୁଛି। ରାଜ୍ୟରେ ଗୋପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ଏବଂ ଦୁଗ୍ଧଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ୫ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଆକଳନ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ଗତବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରିଥିଲେ। ଗତ ୨୦୨୪ ଡିସେମ୍ବର ୪ ତାରିଖରେ ଏହି ଯୋଜନା ଅନ୍ତର୍ଗତ ଉପ-ଯୋଜନା ଗୁଡିକର କାର୍ଯ୍ୟକାରିତା ଆରମ୍ଭ କରାଯାଇଥିଲା।ଏହି ଯୋଜନାରେ ଦୈନିକ ଦୁଗ୍ଧ ଉତ୍ପାଦନ ୬୫ଲକ୍ଷ ଲିଟରରୁ ୫ବର୍ଷ ମଧ୍ୟରେ ଦୈନିକ୧ ୩୦ଲକ୍ଷ ଲିଟର ଉତ୍ପାଦନ ଲକ୍ଷ୍ୟରହିଛି।
ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗୋ ବଂଶକୁ କୃଷକମାନଙ୍କ ଦ୍ୱାରା ଆଦୃତ କରାଇବା, ଗାଈ, ମଇଁଷିମାନଙ୍କୁ ସନ୍ତୁଳିତ ଖାଦ୍ୟ, କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ଗୋପାଳନ କରୁଥିବା ସଂସ୍ଥାମାନଙ୍କୁ ସୁଦୃଢ଼ କରାଯିବା, ପ୍ରାଣୀମାନଙ୍କ ପାଇଁ ବୀମା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରି ଆର୍ଥିକ ନିରାପତ୍ତା ସୁବିଧା କରାଗଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକମାନଙ୍କର ଆର୍ଥିକ ବିକାଶ ହୋଇପାରିବ। ଏହି ଯୋଜନାରେ ୩ଟି ଉପଯୋଜନା ରହିଛି। ଗୋ-ପାଳନ ଯୋଜନା, ମଇଁଷି ଉଦ୍ୟୋଗୀକରଣ ଉନ୍ନୟନ ଯୋଜନା ଏବଂ ବ୍ୟବସାୟିକ ଗୋପାଳନ(ଡାଏରି) ଫାର୍ମିଂ ନିମନ୍ତେ ଅତିରିକ୍ତ ସବ୍ସିଡି ବ୍ୟବସ୍ଥା। ଏହି ଯୋଜନାରେ ବାହାର ରାଜ୍ୟରୁ ଗାଈ ଏବଂ ମଇଁଷି ଅଣାଯାଉଥିବା କ୍ଷେତ୍ରରେ ଯୋଗ୍ୟ ବିବେଚିତଙ୍କ ପାଇଁ ସବସିଡି ବ୍ୟବସ୍ଥା ରହିଛି ।
ସମୀକ୍ଷାରୁ ଜଣାଯାଇଛି ଯେ, କାମଧେନୁ ଯୋଜନାରେ ୨୦୨୪-୨୫ଆର୍ଥିକ ବର୍ଷରେ ଗୋପାଳନ ଉପ-ଯୋଜନାରେ୨,୫୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ୩୫, ୪୯୪ ଆବେଦନ ହୋଇଥିଲା ଏବଂ ୨୮୯୨ ମଂଜୁର କରାଯାଇଥିବା ସ୍ଥଳେ ସେଥିରୁ ୧୭୨୭ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲା। ଏବାବଦକୁ ୨୪.୫କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଥିଲା। ସେହିପରି ୨୦୨୫-୨୬ବର୍ଷରେ ୧୦,୦୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୨୩,୯୨୯ ଆବେଦନ ହୋଇଛି ଓ ସେଥିରୁ ଅଦ୍ୟାବଧି ୫,୩୮୫ ମଂଜୁର ହୋଇ ୫୯୬ ସଂପୂର୍ଣ୍ଣ ପୂର୍ବକ ୮.୩୬ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି । ଧାର୍ଯ୍ୟ ଲକ୍ଷ୍ୟ ଏକ ସୂଚକାଙ୍କ ହୋଇଥିବାବେଳେ ଆବେଦନ ସଂଖ୍ୟା ସୀମୀତ ନୁହେଁ, ଅର୍ଥାତ ସର୍ବାଧିକ ଆବେଦନ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କ ଆବେଦନକୁ ଗ୍ରହଣ କରାଯିବା ନେଇ ବ୍ୟବସ୍ଥା ରହିଛି।
କାମଧେନୁ ଯୋଜନାରେ ଅଦ୍ୟାବଧି ୪,୫୩୨ ଗାଈ ପ୍ରଦାନ କରାଯାଇଛି, ଯଦ୍ୱାରାଓଡ଼ିଶାରେ ଦୈନିକ ଦୁଗ୍ଧ ଉତ୍ପାଦନରେ ଅଧିକ ୪୫,୦୦୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗ ହୋଇପାରିଛି।ସେହିପରି୨୦୨୪-୨୫ବର୍ଷରେ ମଇଁଷି ଔଦ୍ୟୋଗିକ ବିକାଶ ଯୋଜନାରେ ୫୬୮ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୮.୧୫ କୋଟି ସବ୍ସିଡି ପ୍ରଦାନ କରାଯାଇଛି ଏବଂ ୨୦୨୫-୨୬ ବର୍ଷରେ ଅଦ୍ୟାବଧି ୭୫ ପ୍ରକଳ୍ପ ମଂଜୁର ହୋଇ ୧.୦୨ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି।ଏହି ଯୋଜନାରେ ୧୨୬୦ ମଇଁଷି ଦିଆଯାଇଛି ଏବଂ ସେମାନେ ଦୈନିକ ୧୦,୦୮୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗଦାନ ଫଳରେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କମର୍ସିଆଲ ଡାଏରୀ ଫାର୍ମିଂ ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।ଏଥିରେ ୨୦୨୪-୨୫ ବର୍ଷରେ ୭୧୬ ଆବେଦନ ଗ୍ରହଣ କରାଇବାବେଳେ ୬୨୬ ଆବେଦନକୁ ମଂଜୁର ମିଳିଛି ଏବଂ ୫,୦୦୮ ପ୍ରାଣୀ ପାଳନ କରାଯିବ।୨୦୨୫-୨୬ରେ ଆବେଦନ କରିଥିବା ୨୭୨ରୁ ୧୪୪ ଆବେଦନ ମଂଜୁର ହୋଇ ୧୧୫୨ ପ୍ରାଣୀ ପାଳନକୁ ମଂଜୁର ମିଳିଛି।୨ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ପ୍ରାଣୀମାନଙ୍କୁ କିପରି ସନ୍ତୁଳିତ ପୋଷଣ ମିଳିପାରିବ, ସେଥିପାଇଁ ଗୋଖାଦ୍ୟ-ଉଦ୍ୟୋଗ ସ୍କିମ୍ କାର୍ଯ୍ୟକାରୀ ହୋଇଛି। ୮୫ପ୍ରତିଶତ ହିତାଧିକାରୀ ଗୋ-ଖାଦ୍ୟ ପାଇଁ ଘାସ ଚାଷ କରି ନିଜ ନିଜର ଗୋ-ପାଳନ ପାଇଁ ବ୍ୟବହାର କରୁଛନ୍ତି । ଏଥିରେ ବ୍ୟକ୍ତିଗତ ବା ଗ୍ରୁପ ପିଛା ଏକର ପ୍ରତି ୩୫,୦୦୦ ସବସିଡି ରହିଛି।ଏଥିରେଦେୟ ମୁକ୍ତ ମିନି କିଟ୍ ( ମକା ଓ ବରଗୁଡ଼ି ମଞ୍ଜି ) ବଣ୍ଟନ କରାଯାଉଛି। ମାଈ ବାଛୁରୀ ପାଳନ ଯୋଜନାରେ ୫୦% ସବସିଡି ଗୋଖାଦ୍ୟ ପାଇଁ ଏବଂ ୧୦୦% ବୀମା ସବସିଡି ବ୍ୟବସ୍ଥା ରହିଛି।ଏହି ସ୍କିମରେ ୨୦୨୪-୨୫ରେ ୬୨୩ ଘାସ ଚାଷ ଉତ୍ପାଦନ ଆରମ୍ଭ ହୋଇଥିବାବେଳେ ୨୦୨୫-୨୬ରେ ଅଦ୍ୟାବଧି ୧୮୫ ଘାସ ଉତ୍ପାଦନ ପ୍ରକଳ୍ପ ଆରମ୍ଭ ହୋଇଛି।
ଯୋଜନାର କାର୍ଯ୍ୟକାରୀ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ଯୋଜନାରୁ ଚାଷୀମାନେ ଯେପରି ଲାଭ ଉଠାଇ ଅଧିକରୁ ଅଧିକ ଉପକୃତ ହୋଇ ପାରିବେ ଏବଂ ସେମାନଙ୍କର ଆର୍ଥିକ ସଶକ୍ତି କରଣ ହୋଇପାରିବ, ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି )ର ବିଶେଷଜ୍ଞଙ୍କ ଦ୍ୱାରା ଯୋଜନା କାର୍ଯ୍ୟକାରିତାର ମୂଲ୍ୟାୟନ ଓ ସେମାନଙ୍କ ଠାରୁ ଆବଶ୍ୟକ ପରାମର୍ଶ ଦେବା ସଂପର୍କରେ ସେ ଗୁରୁତ୍ୱ ଦେଇଥିଲେ।