ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର : ଶ୍ରମିକ ଦିବସରେ ଭୁବନେଶ୍ୱରସ୍ଥିତ ବ୍ରହ୍ମେଶ୍ୱର ପାଟଣାରେ ଥିବା ଜଗନ୍ନାଥ ଆଶ୍ରମରେ ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ କର୍ମକର୍ତ୍ତା କ୍ରିଷ୍ଣାଚାନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମଗ୍ର ୩୦ଟି ଜିଲ୍ଲାରୁ ସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇ ସଂଘର ବିଭିନ୍ନ ସମସ୍ୟା, ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୫ ବର୍ଷିଆ ଟେଣ୍ଡର ହିସାବରେ ଥିବା ଠିକା ସଂସ୍ଥାମାନଙ୍କ ଦ୍ୱାରା ନିଯୁକ୍ତି ପାଇ ଦୈନିକ ୧୨ ଘଣ୍ଟା ସିଫ୍ଟ ଡ୍ୟୁଟି କରି ଲୋକମାନଙ୍କୁ ସେବା ଯୋଗାଉଥିଲେ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ୮ ଘଣ୍ଟାର ପାରିଶ୍ରମିକ ଦେଇ କର୍ମ•ରୀମାନଙ୍କୁ ପ୍ରତାରଣା କରୁଥିବା ଖବର ସରକାରଙ୍କୁ ଜଣାଇଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।
ଏପରିକି ଓଭର ଟାଇମ୍ ପାରିଶ୍ରମିକ ମିଳୁନାହିଁ ଏବଂ ଡ୍ୟୁଟି ସମୟରେ କୌଣସି କର୍ମଚାରୀ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ନାହିଁ ବୋଲି ସଂଘ ତରଫରୁ ଅଭିଯୋଗ କରାଯାଇଅଛି। ସଂସ୍ଥା ପାଖରେ କର୍ମଚାରୀମାନେ ନିଜର ସମସ୍ୟା ଜଣାଇଲେ ବିନା କାରଣରେ ବାରମ୍ବାର ଛଟେଇ କରିବାର ଧମକ ଦିଆଯାଉଛି ଏବଂ କିଛି କର୍ମଚାରୀଙ୍କୁ ମଧ୍ୟ ଅନ୍ୟାୟ ଭାବେ ଛଟେଇ କରାଯାଇଛି। ଏଣୁ ସଂଘ ତରଫରୁ ଆଗାମୀ ଦିନରେ ଏକ ଟ୍ରେଡ ୟୁନିୟନ ମାଧ୍ୟମରେ ସରକାରଙ୍କ ପାଖରେ ସମସ୍ତ ଦାବି ସମସ୍ୟା ଓ ଠିକା ସଂସ୍ଥାର ଅନ୍ୟାୟ ଅନୀତି ସମ୍ବନ୍ଧରେ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏଥିପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଏକ ଟ୍ରେଡ ୟୁନିୟନ ରାଜ୍ୟ ସରକାରଙ୍କ ୧୯୨୬ ନିୟମ ଅନୁସାରେ ପଞ୍ଜିକୃତ କରିଛନ୍ତି ଯାହାର ନମ୍ବର ହେଉଛି କେଏଚ୍ଡବ୍ଲୁ / ଆରଟିଓ / ୨୦୨୫ / ୦୦୦୧୫୭ ମୁଖ୍ୟ କାର୍ଯ୍ୟାଳୟ ଡୁମୁଡୁମା, ହାଉସିଂ ବୋର୍ଡ଼ ଫେଜ୍-୨, ଡିଡିଏଲ-୮୨୯, ଥାନା ଖଣ୍ଡଗିରି, ଭୁବନେଶ୍ୱର-୭୫୧୦୧୯ ଠିକଣାରେ ପଞ୍ଜିକୃତ ହୋଇଛି ବୋଲି ସଂଘର ସଭାପତି ଶ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଏହି ଟ୍ରେଡ ୟୁନିୟନ ମାଧ୍ୟମରେ ସବୁ ସମସ୍ୟାର ଆଲୋଚନା କରାଯିବା ସହିତ ସରକାରଙ୍କୁ ଅବଗତ କରାଯିବ।