କଳିଙ୍ଗ କପ ଶ୍ରମ-ସଂଘର୍ଷ-ଦଳୀୟ ଆତ୍ମାର ସମ୍ମିଳିତ ଫଳ-ମୁଖ୍ୟମନ୍ତ୍ରୀ
ସର୍ବଭାରତୀୟ ମିନି କଳିଙ୍ଗ କପ ଫୁଟବଲ : ଅନୁରାଗ ଏଫସି ଚାମ୍ପିଅନ, ରିଷି ଫାଇଟର ରନର୍ସଅପ କଳିଙ୍ଗ
କେନ୍ଦୁଝର: କେନ୍ଦୁଝରର ରାଇକଳାଠାରେ ଚାଲିଥିବା ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଶୁଆକାଟୀ ଅନୁରାଗ ଏଫସି ଦଳକୁ ପୁରସ୍କୃତ କରିବା ସହ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚ ଶୁଆକାଟୀ ଅନୁରାଗ ଏଫସି ଏବଂ ଝୁମ୍ପୁରା ରିଷି ଫାଇଟର ମଧ୍ୟରେ ଖେଳାଯାଇଥିଲା। ରନର୍ସଅପ ରିଷି ଫାଇଟରକୁ ୧ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଳିଙ୍ଗ କପ ହେଉଛି ଶ୍ରମ, ସଂଘର୍ଷ ଏବଂ ଦଳୀୟ ଆତ୍ମାର ସମ୍ମିଳିତ ଫଳ। ଏହା ଆମକୁ ଶିଖାଏ ଖେଳ କେବଳ ଶାରୀରିକ କ୍ରିୟାନୁଷ୍ଠାନ ନୁହେଁ, ବରଂ ଏକ ଜୀବନ ଶୈଳୀ, ଏକ ମନୋଭାବ, ଦଳୀୟ ଆତ୍ମା, ସମୟାନୁଷ୍ଠାନ, ଶିଷ୍ଟାଚାର ଓ ସମ୍ମାନ। ଏହି ସବୁ ହେଉଛି ଏହି ପ୍ରତିଯୋଗିତାର ପ୍ରକୃତ ଲକ୍ଷ୍ୟ। କ୍ରୀଡ଼ା କ୍ଷେତ୍ରରେ ଆମର ନିରନ୍ତର ପ୍ରୋତ୍ସାହନ ପାଇଁ ଆଜି ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ। ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛି।
ବିଗତ ଦିନରେ ଓଡିଶା ଦ୍ବାରା ଓଡ଼ିଶା ଇଣ୍ଡିଆନ ସୁପର ଲିଗ, କଳିଙ୍ଗ ସୁପର କପ, ବିଡବ୍ଲ୍ୟୁଏଫ ଓଡ଼ିଶା ମାଷ୍ଟର୍ସ (ବ୍ୟାଡମିଣ୍ଟନ), ଏଫଆଇଏଚ ହକି ପ୍ରୋ ଲିଗ ଆଦି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ସଫଳତାର ସହିତ ଆୟୋଜନ ହୋଇଛି। ଭାରତରେ କ୍ରୀଡା ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଓଡିଶାର ମର୍ଯ୍ୟାଦା ଅଧିକ ସୁଦୃଢ଼ ହୋଇଛି। ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ କରିବା ପାଇଁ ଏକ ପରିବର୍ତ୍ତନମୂଳକ ପଦକ୍ଷେପ ଭାବରେ ସିଏମ ଟ୍ରଫି ଶୁଭାରମ୍ଭ କରାଯାଇଛି। ଗ୍ରାମୀଣ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ସ୍ବୀକୃତି ଆଣିଦେବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଭଲିବଲ, କ୍ରିକେଟ, ଫୁଟବଲ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ CONT ସୁବିଧା ରହିବ। ଏହାବ୍ୟତୀତ ବ୍ୟାଡମିଣ୍ଟନ, ଟେବଲ ଟେନିସ ଏବଂ ଅନ୍ୟାନ୍ୟ ଇନଡୋର କ୍ରୀଡା ପାଇଁ ଏକ ଇନଡୋର ହଲ ରହିବ। ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ନିମନ୍ତେ ଆଗାମୀ ୫ ବର୍ଷରେ ୩୧୪ ଟି ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୫-୨୬ରେ ବ୍ଳକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟ ହବ ଭାବେ ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିବା ବେଳେ ଆୟୋଜକ ରାଇଜିଂ ଷ୍ଟାର କ୍ଳବର ଚେୟାରମ୍ୟାନ ଗଣେଶ୍ବର ମହାନ୍ତ, ସଭାପତି ଶ୍ରୀକାନ୍ତ ନାଏକ, ସମ୍ପାଦକ ଗୋପାଳ ବାରିକ, ଉପସଭାପତି ରାମଚନ୍ଦ୍ର ମହାନ୍ତ, ହୃଷିକେଶ ମହାନ୍ତ, ବୀରେନ୍ଦ୍ର ମହାନ୍ତ, ସମ୍ପାଦକ ତରଣୀସେନ ମହାନ୍ତ, ଲୋଚନ ମହାନ୍ତ, ମହମ୍ମଦ ମଝାର ହୁସେନ ଓ ବଳଭଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।