ଭୁବନେଶ୍ୱର: କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଚାଷୀଭାଇମାନଙ୍କୁ ବିହନ ଯୋଗାଣ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେଇଥିଲା । ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡିଶାର ଚାଷୀ ଭାଇମାନଙ୍କ ନିମନ୍ତେ ଖରିଫ ୨୦୨୫ ପାଇଁ ବିଭିନ୍ନ ବିହନ ଯୋଗାଣ, ଆବଶ୍ୟକତା ଓ ଉପଲବ୍ଧି ଉପରେ ବିସ୍ତୃତ ଅଲୋଚନା କରାଯାଇଥିଲା । ବୈଠକରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ କହିଲେ ଯେ ସମସ୍ତ ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିହନ ଯୋଗାଇ ଦିଆଯିବ।
ଖରିଫ ଋତୁ ପାଇଁ ବିହନଗୁଡିକ ଉପଯୁକ୍ତ ସମୟରେ ଚାଷୀଭାଇଙ୍କ ନିକଟରେ ଯୋଗାଣ ଉପଲବ୍ଧ ହେବା ଆବଶ୍ୟକ । ବିଭାଗ ଦ୍ୱାରା କୃଷକଙ୍କ ପସନ୍ଦ ଅନୁଯାୟୀ ବିହନ ଯୋଗାଣ ତ୍ୱାରାନିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିବା ସହିତ ବିଭିନ୍ନ କିସମ ବିହନର ଗୁଣବତ୍ତା ନିଶ୍ଚିତ କରିବାକୁ ନିୟମିତ ନମୁନା ସଂଗ୍ରହ ଏବଂ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ଖରିଫ ରୁତୁରେ ପନିପରିବା ମଞ୍ଜି କ୍ରୟ ଓ ଯୋଗାଣ ଉପରେ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ବିହନ ବିକ୍ରୟ ପାଇଁ ସବସିଡି ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ୨ ହେକଫରରୁ ଅଧିକ ଏବଂ ୩ ହେକଫର ଚାଷଜମି ପର୍ଯ୍ୟନ୍ତ ବିହନ ବିକ୍ରୟ ପାଇଁ ରାଜ୍ୟ ସରକାର ସବସିଡି ପ୍ରଦାନ କରିବେ।
କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କହିଲେ ଯେ କୃଷକଙ୍କୁ ଗୁଣାତ୍ମକ ବିହନ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସବସିଡି ଚାଷୀଙ୍କୁ ଡିବିଟି ମୋଡରେ ପ୍ରଦାନ କରାଯିବ। ଖରିଫ ଋତୁ ୨୦୨୫ ପାଇଁ ବିହନ ଯୋଗାଣ ଓ ଆବଶ୍ୟକତା କ୍ଷେତ୍ରରେ ଆମେ ବଳକା ଅଛୁ ବୋଲି ଡ. ପାଢ଼ୀ କହିଥିଲେ। ବୈଠକରେ ଖରିଫ ୨୦୨୫ ସମୟରେ ବିଭିନ୍ନ ବିହନଗୁଡିକର ଆବଶ୍ୟକତା ଏବଂ ଉପଲବ୍ଧତା ଉପରେ ପିପିଟି ମାଧ୍ୟମରେ ବିସ୍ତୃତ ତଥ୍ୟ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରା ଯାଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ନିର୍ଦ୍ଦେଶକ ଶୁଭମ ସାକସେନା, ଉଦ୍ୟାନ କୃଷି ବିଭାଗ ନିର୍ଦେଶକ ନିଖିଲ ପବନ କଲ୍ୟାଣ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।