ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଦିଗରେ ଉଚ୍ଚକୋଟୀର ଗବେଷଣା ଆବଶ୍ୟକ
-
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର
-
ହିନ୍ଦୁସ୍ତାନୀ ସଙ୍ଗୀତର ଇତିହାସ ଓ ଶୈଳୀ ଉପରେ ମନ୍ଥନ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଜାନୁଆରୀ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି। ଆଜି ଦ୍ଵିତୀୟ ଦିନରେ “ହିନ୍ଦୁସ୍ତାନୀ ସଙ୍ଗୀତ”କୁ ନେଇ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗୁରୁ ଡ. ନିରଞ୍ଜନ ପାଣୀ, ହିନ୍ଦୁସ୍ତାନୀ ବେହେଲା ବାଦକ ଗୁରୁ ଡ. ଦିବ୍ୟଦର୍ଶନ ବିଶ୍ୱାଳ ଏବଂ ସିତାର ଗୁରୁ ଅସୀମ ଚୌଧୁରୀ ପ୍ରମୁଖ ଯୋଗଦେଇ ହିନ୍ଦୁସ୍ତାନୀ ସଙ୍ଗୀତର ଇତିହାସ ସହ ଏହା ଉପରେ ହୋଇଥିବା ଗବେଷଣା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିସହ ହିନ୍ଦୁସ୍ତାନୀ ସଙ୍ଗୀତ ଗାୟନ ଶୈଳୀ ଓ ବାଦ୍ୟ ପରିବେଷଣର କଳା ଏବଂ କୌଶଳକୁ ନେଇ ମଧ୍ୟ ଗଭୀର ଆଲୋଚନା କରାଯାଇଥିଲା।
ହିନ୍ଦୁସ୍ତାନୀ ସଙ୍ଗୀତ, ଓଡ଼ିଶୀ କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଛଉ ନୃତ୍ୟ ଓ ନାଟକ ଆଦି ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବିଶେଷଜ୍ଞମାନେ ସଙ୍ଗୀତ, ନୃତ୍ୟ ଓ ନାଟ୍ୟ କଳାର ପ୍ରୟୋଗାତ୍ମକ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଅଧିକ ଉଚ୍ଚକୋଟୀର ଗବେଷଣା ହେବା ଏକାନ୍ତ ଆବଶ୍ୟକ ବୋଲି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା ମତପ୍ରକାଶ କରିଥିଲେ। ସମଗ୍ର ଆଲୋଚନାଚକ୍ରକୁ ଡ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ।