BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦାରିଙ୍ଗବାଡ଼ିରେ ୩ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ

ସିମନବାଡ଼ି ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା, ଓ୍ବାଶିଂ ମେଶିନରୁ ସର୍ଟ ସର୍କିଟ୍ ଯୋଗୁଁ ଲାଗିଲା ନିଆଁ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ି ଅନ୍ତର୍ଗତ ସିମନବାଡ଼ି ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।  ସିମନବାଡ଼ିରୁ ରାଇକିଆ ଯିବା ରାସ୍ତାରେ ଅବସ୍ଥିତ ବ୍ୟବସାୟୀ ଜିତେନ୍ଦ୍ର ସାହୁଙ୍କ ତିନି ମହଲା ବିଶିଷ୍ଟ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୋଠାର ତଳ ମହଲାରେ ଏକ ବଡ଼ ଲୁଗା ଦୋକାନ ରହିଥିବା ବେଳେ ଦ୍ୱିତୀୟ ମହଲାରେ ରୋଷେଇ ଘର, ବେଡ୍ ରୁମ୍ ଏବଂ ତୃତୀୟ ମହଲାକୁ ଗୋଦାମ ଘର ଭାବେ ବ୍ୟବହାର କରାଯାଉଥିଲା। ଦ୍ୱିତୀୟ ମହଲାରେ ଥିବା ଏକ ଓ୍ବାଶିଂ ମେଶିନରୁ ପ୍ରଥମେ ନିଆଁ ବାହାରିଥିବା ଅନୁମାନ କରାଯାଉଛି।

ଘଟଣା ସମୟରେ ଜିତେନ୍ଦ୍ର ସାହୁ ଏବଂ ତାଙ୍କ ପରିବାର ତଳ ମହଲାରେ ଥିବା ଲୁଗା ଦୋକାନରେ ବ୍ୟସ୍ତ ଥିଲେ। ହଠାତ୍ ଉପର ମହଲାରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ଜିତେନ୍ଦ୍ରଙ୍କ ସ୍ତ୍ରୀ ଏବଂ ଦୋକାନ କର୍ମଚାରୀମାନେ ଚିତ୍କାର କରିଥିଲେ। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ସେଠାରେ ରୁଣ୍ଡ ହୋଇ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ମାତ୍ର କୋଠା ଭିତରେ ପ୍ରବଳ ଧୂଆଁ ଏବଂ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସାଧାରଣ ଲୋକଙ୍କ ପକ୍ଷେ ଭିତରକୁ ପ୍ରବେଶ କରିବା ଅସମ୍ଭବ ହୋଇପଡ଼ିଥିଲା। ବିପଦଜନକ ପରିସ୍ଥିତିକୁ ଦେଖି ତୁରନ୍ତ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ଖବର ପାଇ ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଦକ୍ଷ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଟିମ୍‌ରେ ସୁନୀଲ କୁମାର ସାମର୍ଥ, ବୃନ୍ଦାବନ ମାନସିଂ, ସାଜନ କୁମାର ବେହେରା, ଚିନ୍ମୟ ପରିଡ଼ା, ପ୍ରିୟବ୍ରତ ସେନାପତି ଏବଂ ଏକାନ୍ତ ଶବର ସାମିଲ ଥିଲେ। ଅଗ୍ନିଶମ କର୍ମଚାରୀମାନେ ଅତ୍ୟନ୍ତ ସାହସିକତାର ସହ ପ୍ରାୟ ଏକ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ବିଶେଷ କରି ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଧାନ ନିଜ ଜୀବନକୁ ପାଣି ଛଡ଼ାଇ ଅଗ୍ନିବୀରଙ୍କ ସହ ଦ୍ୱିତୀୟ ମହଲାରେ ପ୍ରବେଶ କରି ନିଆଁ ଲିଭାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଓ୍ବାଶିଂ ମେଶିନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ଏବଂ ସେଠାରୁ ହିଁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ବ୍ୟାପିଥିଲା। ନିଆଁର ପ୍ରକୋପ ଦ୍ୱିତୀୟ ମହଲାରୁ ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଏହି ଦୁର୍ଘଟଣାରେ ଜିତେନ୍ଦ୍ର ସାହୁଙ୍କ ଘରର ଅନେକ ଦାମୀ ଆସବାବପତ୍ର, ଲୁଗାପଟା ଏବଂ ବ୍ୟବସାୟିକ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଯଦିଓ ଧନ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟିଛି, କିନ୍ତୁ ସୌଭାଗ୍ୟବଶତଃ କୌଣସି ଜୀବନ ହାନି ଘଟିନାହିଁ। ଅଗ୍ନିଶମ ବିଭାଗର ଠିକ୍ ସମୟରେ ପଦକ୍ଷେପ ଯୋଗୁଁ ତଳ ମହଲାରେ ଥିବା ଲୁଗା ଦୋକାନକୁ ନିଆଁ ବ୍ୟାପିପାରି ନଥିଲା, ନଚେତ୍ କ୍ଷୟକ୍ଷତିର ପରିମାଣ ଅଧିକ ହୋଇଥାନ୍ତା। ଏହି ଘଟଣା ପରେ ସ୍ଥାନୀୟ ବଜାର ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ପୋଲିସ ଏବଂ ରାଜସ୍ୱ ବିଭାଗ କ୍ଷୟକ୍ଷତିର ଆକଳନ କରୁଥିବା ଜଣାପଡ଼ିଛି।