BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାନୀୟ ଜଳ ପ୍ରକଳ୍ପର ୫୦ ଲକ୍ଷ ଟଙ୍କାର ପାଇପ୍ ପୋଡ଼ି ପାଉଁଶ

ବାଘଲଟି : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ବାଘଲଟି ଜଳସେଚନ ପ୍ରକଳ୍ପ ସ୍ଥଳରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ମେଗା ପାନୀୟ ଜଳ ପ୍ରକଳ୍ପର ଅନେକ ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛି। ଆଜି ମଧ୍ୟାହ୍ନ ସମୟରେ ପ୍ରକଳ୍ପର ଭଣ୍ଡାର ଗୃହ ବା ଷ୍ଟୋର୍‌ରେ ହଠାତ୍ ନିଆଁ ଲାଗିଯିବା ଫଳରେ ସେଠାରେ ଗଚ୍ଛିତ ଥିବା ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ପାଇପ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି। ପବନର ବେଗ ଅଧିକ ଥିବାରୁ ନିଆଁ ଖୁବ୍ ଶୀଘ୍ର ବ୍ୟାପି ଯାଇଥିଲା, ଯାହା ଫଳରେ ପ୍ରକଳ୍ପର କାର୍ଯ୍ୟ କରୁଥିବା କର୍ମଚାରୀମାନେ ପ୍ରାଥମିକ ସ୍ତରରେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।

ଘଟଣା ସମୟରେ ଷ୍ଟୋର୍ ମଧ୍ୟରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି କାମ କରୁଥିବା କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ। ନିକଟସ୍ଥ ଜଳ ବିଶୋଧନ ପ୍ଲାଣ୍ଟର କର୍ମଚାରୀମାନେ ତୁରନ୍ତ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଏବଂ ଜେସିବି ମେସିନ ସାହାଯ୍ୟରେ କିଛି ପାଇପ୍ ବିଡ଼ାକୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭାଇବାରେ ସଫଳ ହୋଇଥିଲେ। ପ୍ରାୟ ୫୦ରୁ ୬୦ଟି ବଡ଼ ପାଇପ୍ ବିଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଉଦ୍ଧାର ହୋଇଥିବା ଅନ୍ୟ ସାମଗ୍ରୀଗୁଡ଼ିକ ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇଯାଇଥିବା ଆଶଙ୍କା କରାଯାଉଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ନଡ଼ା ପୋଡ଼ିରୁ ନିଆଁ ଉଡ଼ି ଆସିଥିବା କିମ୍ବା ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ମସିହାରେ ପ୍ରାୟ ୨୨୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ମେଗା ଜଳ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ପାତ୍ରପୁର, ଚିକିଟି ଏବଂ ଦିଗପହଣ୍ଡି ବ୍ଲକର ପ୍ରାୟ ୩୬ଟି ପଞ୍ଚାୟତର ୨.୫ ଲକ୍ଷରୁ ଅଧିକ ଜନସାଧାରଣଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା।

ବାଘଲଟି ଜଳଭଣ୍ଡାର ନିକଟରେ ସୋଲାର ପ୍ଲାଣ୍ଟ ଏବଂ ଜଳ ବିଶୋଧନ କେନ୍ଦ୍ର ସ୍ଥାପନ କରି ଆଦିବାସୀ ଇଲାକା ଠାରୁ ଆରମ୍ଭ କରି ସମୁଦ୍ର କୂଳବର୍ତ୍ତୀ ଗ୍ରାମଗୁଡ଼ିକ ପର୍ଯ୍ୟନ୍ତ ପାଣି ପହଞ୍ଚାଇବାକୁ ସରକାରୀ ଯୋଜନା ରହିଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରକଳ୍ପର କାର୍ଯ୍ୟ ସାମୟିକ ଭାବେ ବାଧାପ୍ରାପ୍ତ ହେବାର ସମ୍ଭାବନା ଦେଖାଦେଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀମାନେ କ୍ଷୟକ୍ଷତିର ଆକଳନ ସହ ତଦନ୍ତ ଆରମ୍ଭ କରିଛନ୍ତି।