ଉଚ୍ଚଶିକ୍ଷା ଏବଂ କ୍ୟାରିୟର ଗଢ଼ିବାରେ ବଡ଼ ସୁଯୋଗ ସୃଷ୍ଟି କରିପାରିବ ଜାପାନୀ ଭାଷା
ଉତ୍କଳ ବିଶ୍ୱବିଦ୍ୟାଳୟରେ "ଜାପାନ ସହିତ ଗୋଟିଏ ଦିନ" ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ବ ବିଭାଗର ଜାପାନୀ ଭାଷା ପାଇଲଟ୍ ପ୍ରକଳ୍ପ ଏବଂ ମାଷ୍ଟର ଇନ୍ ପବ୍ଲିକ ହେଲ୍ଥ ବିଭାଗର ମିଳିତ ସହଯୋଗରେ ଆୟୋଜିତ “ଜାପାନ ସହିତ ଗୋଟିଏ ଦିନ- ଭାରତ-ଜାପାନ ସମ୍ପର୍କର ବାର୍ଷିକ ଉତ୍ସବ” ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଭାରତ ଏବଂ ଜାପାନ ମଧ୍ୟରେ ଥିବା ଶୈକ୍ଷିକ ତଥା ସାଂସ୍କୃତିକ ସମ୍ପର୍କ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ନୃତତ୍ତ୍ବ ବିଭାଗ ମୁଖ୍ୟ ଡକ୍ଟର ସୁରେଶ ଚନ୍ଦ୍ର ମୁର୍ମୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଜାପାନୀ ଭାଷା ପାଇଲଟ୍ ପ୍ରକଳ୍ପ ସଂଯୋଜକ ପ୍ରଫେସର ପ୍ରସନ୍ନ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ନବିନ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ, ଓଡ଼ିଶାର ଛାତ୍ରଛାତ୍ରୀ ଜାପାନୀ ଭାଷାରେ ଦକ୍ଷତା ହାସଲ କଲେ ଏହା ସେମାନଙ୍କ ପାଇଁ ଉଚ୍ଚଶିକ୍ଷା ଏବଂ କ୍ୟାରିୟର ଗଢ଼ିବାରେ ଏକ ବଡ଼ ସୁଯୋଗ ସୃଷ୍ଟି କରିପାରିବ। ବିଶେଷ କରି ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ଏବଂ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଜାପାନରେ ପ୍ରଚୁର ସମ୍ଭାବନା ରହିଛି ବୋଲି ସେ ପ୍ରକାଶ କରିଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଶ୍ରୀ ସ୍ୱରାଜ ମିଶ୍ର ଜାପାନରେ ରହିବାର ନିଜସ୍ୱ ଅନୁଭୂତି ବାଣ୍ଟିବା ସହ ଜାପାନୀ ଲୋକଙ୍କର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଆଲୋଚନା କରିଥିଲେ। ସେହିପରି ମୁଖ୍ୟ ବକ୍ତା ଡକ୍ଟର ଅଞ୍ଜଳି କୁମାରୀ ମଧ୍ୟଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ-ଜାପାନ ସମ୍ପର୍କର ଇତିହାସ ଏବଂ ବିବର୍ତ୍ତନ ଉପରେ ତଥ୍ୟ ରଖିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଜାପାନରେ ଅଧ୍ୟୟନ ଓ ଗବେଷଣା ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଓ ବେସରକାରୀ ଫେଲୋସିପ୍ର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଜାପାନୀ ପାରମ୍ପରିକ କାଗଜ ହସ୍ତଶିଳ୍ପ ‘ଅରିଗାମି’ର ପ୍ରଶିକ୍ଷଣ ଏବଂ ଜାପାନୀ ଆନିମେ ଓ ଚଳଚ୍ଚିତ୍ର ପ୍ରଦର୍ଶନ। ଏହି ସେମିନାରରେ ପ୍ରଫେସର ବୀରେନ୍ଦ୍ର କୁମାର ନାୟକ, ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ, ପ୍ରଫେସର କାହ୍ନୁ ଚରଣ ଶତପଥୀ, ପ୍ରଫେସର ଦେବେନ୍ଦ୍ର କୁମାର ବିଶ୍ୱାଳ ଏବଂ ଡକ୍ଟର ମାନସ ରଞ୍ଜନ ସାହୁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ନୃତତ୍ତ୍ବ ବିଭାଗର ସହକାରୀ ପ୍ରଫେସର ଡକ୍ଟର ପ୍ରିୟଙ୍କା ଖୁରାନା ବୈଠକର ସଂଯୋଜନା କରିଥିବାବେଳେ ଡକ୍ଟର ସୌମ୍ୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।