ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’
କେଲାପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରବୀନ୍ଦ୍ର କୁମାର ସାହୁଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା
ଫୁଲବାଣୀ: କେଲାପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷର ନିଷ୍ଠାପର ଶିକ୍ଷକତା ପରେ ସେ ଆଜି ଅର୍ଥାତ୍ ୨୮ ଫେବୃଆରୀ ୨୦୨୬ରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। କାର୍ଯ୍ୟକାଳର ଶେଷ ଦିନରେ ଅନୁଷ୍ଠିତ ଏହି ବିଦାୟକାଳୀନ ସଭାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ହାଉସ୍ ‘ଭରସା’ ଲାଇଭ୍ ତରଫରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ସାହୁଙ୍କୁ ‘ଭରସା ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା। ଏଥିସହ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ମଧ୍ୟ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶ୍ରୀ ସାହୁଙ୍କର ଏହି ଦୀର୍ଘ କର୍ମମୟ ଜୀବନ ଶିକ୍ଷକତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ। ଜଣେ ଆଦର୍ଶ ଶିକ୍ଷକ, ଛାତ୍ରବତ୍ସଳ, କର୍ମଯୋଗୀ, ସମୟାନୁବର୍ତ୍ତୀ ଏବଂ ନିରପେକ୍ଷ ବିଚାରଧାରାର ମଣିଷ ଭାବେ ସେ ସର୍ବଦା ପରିଚିତ ଥିଲେ। ସେ ମଣିଷ ଗଢ଼ିବାର ଏହି କାରଖାନାର ଜଣେ ସୁଦକ୍ଷ ବିନ୍ଧାଣି ଥିଲେ ବୋଲି ସହକର୍ମୀମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କର ଦୀର୍ଘ ଜୀବନୀ ଏବଂ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟକଳାପ ଉପରେ ସ୍ମୃତିଚାରଣ କରିଥିଲେ। ତାଙ୍କର ଆଗାମୀ ଦିନଗୁଡ଼ିକ ସୁସ୍ଥ ଓ ନିରାମୟ ହେଉ ବୋଲି ସମସ୍ତେ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ‘ଭରସା’ ଲାଇଭ୍ର ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁଙ୍କ ସହ କାର୍ଯ୍ୟ କରିବାର ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। କେବଳ ଶିକ୍ଷାଦାନ ନୁହେଁ, ବରଂ ସମାଜସେବା, ପରୋପକାର, ସାଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଅବସର ପରେ ସମାଜ ତାଙ୍କଠାରୁ ଅଧିକ ଆଶା ରଖିଥିବା ବେଳେ ତାଙ୍କର ଏହି ଶୂନ୍ୟସ୍ଥାନ ପୂରଣ ହେବା କଷ୍ଟକର ବୋଲି ସେ କହିଥିଲେ।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ବିଷ୍ଣୁ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଲାପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ପାତ୍ରଙ୍କ ସମେତ ସହକାରୀ ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ସାହୁ, ଶ୍ରୀ ଠାକୁର ବେହେରା, ଶ୍ରୀ ବାପିନ ମହାପାତ୍ର, ଶ୍ରୀ ମନୋଜ କହଁର ଏବଂ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ବିଶୋଈ, ଶ୍ରୀମତୀ ତନ୍ମୟା ମହାନ୍ତି, ଶ୍ରୀମତୀ ମମତା ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।