ଦୁର୍ନୀତିକୁ ବିଷ ମନେ କରି ତା’ଠୁ ଯେତେ ଅଧିକ ସମ୍ଭବ ଦୂରରେ ରୁହନ୍ତୁ, ନଚେତ୍ ଏହା ନିଜ ପାଇଁ ଓ ନିଜ କ୍ୟାରିଅର ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ-ମୁଖ୍ୟମନ୍ତ୍ରୀ
-
ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫
-
୧୨ ଟି ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩
-
୧୭ ମାସରେ ୩୭,୩୨୫
-
ଦୁର୍ନୀତି ଠାରୁ ଦୂରରେ ରୁହନ୍ତୁ, ଦୁର୍ନୀତି କ୍ୟାରିଅର ପାଇଁ ବିପଦ
-
ନବନିଯୁକ୍ତ ମାନଙ୍କୁ ଚାରୋଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ-ସହୃଦୟତାପୂର୍ଣ୍ଣ ସେବା, କାର୍ଯ୍ୟରେ ଉତ୍କୃଷ୍ଟତା, ସମୟ ଉପଯୋଗୀ ଜ୍ଞାନ ଆହରଣ ଏବଂ ସ୍ୱଚ୍ଛତା
-
ସରକାରୀ ନିଯୁକ୍ତି ପାଇଁ ଭରଷା ଦେଇଥିଲୁ, କଥା ରଖିଛୁ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆପଣମାନେ ସମ୍ପୂର୍ଣ ସ୍ବଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରିରେ ଯୋଗ ଦେଉଛନ୍ତି। ତେଣୁ ଆପଣମାନେ କର୍ତ୍ତବ୍ୟ ପଥରେ ସାଧୁତା ଓ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ସଂକଳ୍ପବଦ୍ଧ ହେବେ। ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳ ନୀତି ଆପଣେଇଛି। ତେଣୁ ଦୁର୍ନୀତିକୁ ବିଷ ମନେ କରି ତା’ଠୁ ଯେତେ ଅଧିକ ସମ୍ଭବ ଦୂରରେ ରୁହନ୍ତୁ। ନଚେତ୍ ଏହା ନିଜ ପାଇଁ ଓ ନିଜ କ୍ୟାରିଅର ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ। ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଯେପରି ଓଡ଼ିଶା ଏବଂ ରାଜ୍ୟବାସୀଙ୍କ ଉନ୍ନତିରେ ସହାୟକ ହେବ ତାକୁ ଦୃଷ୍ଟିରେ ରଖି କାମ କରନ୍ତୁ। ନୂଆ କରି ସରକାରୀ ଚାକିରି ପାଇଥିବା ୧୨ ବିଭାଗର ୭୨୯୩ଜଣ ନବନିଯୁକ୍ତଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଦ୍ବାଦଶ ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ୨ ବର୍ଷ ଭିତରେ ୬୫ ହଜାର ସରକାରୀ ନିଯୁକ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୧୭ ମାସ ଭିତରେ ଆଜିର ନିଯୁକ୍ତିକୁ ମିଶାଇ ୧୨ଟି ନିଯୁକ୍ତିମେଳା ଜରିଆରେ ୩୭,୩୨୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ। ଏତେ ସଂଖ୍ୟାରେ ସରକାରୀ ପଦ ପଦବୀରେ ନିଯୁକ୍ତି ଏତେ କମ୍ ଦିନ ଭିତରେ ଆଗରୁ କେବେ ହୋଇନାହିଁ। ଔଦ୍ୟୋଗିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୃଷ୍ଟି ପାଇଁ ଆମେ ପଦକ୍ଷେପ ନେଉଛୁ। ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ମାଧ୍ୟମରେ ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିଛୁ। ଆମର ଏହି ଉଦ୍ୟମ ଆଗାମୀ ଦିନରେ ମଧ୍ଯ ନିରବଚ୍ଛିନ୍ନ ଭାବରେ ଜାରି ରହିବ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାରିଟି ପରାମର୍ଶ ଦେଇ କହିଥିଲେ ଯେ ଆପଣମାନେ ଜନସାଧାରଣଙ୍କୁ ସହୃଦୟତାପୂର୍ଣ୍ଣ ଓ ନ୍ୟାୟପୂର୍ଣ୍ଣ ଭାବେ ସେବା ଯୋଗାଇଦେବେ ନିଜର କାର୍ଯ୍ୟରେ ସବୁବେଳେ ଉତ୍କର୍ଷ ବଜାୟ ରଖିବା ପାଇଁ ଚେଷ୍ଟା କରିବେ। ନିଜର ଜ୍ଞାନର ପରିସୀମାକୁ ବୃଦ୍ଧି କରିବେ ଓ ସମୟ ଉପଯୋଗୀ କରିବେ କାର୍ଯ୍ୟ କ୍ଷେତ୍ରରେ ସଭୋଟତା ଓ ସ୍ବଚ୍ଛତା ବଜାୟ ରଖିବେ।
ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ରୋଜଗାର ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ନେଇ ନିରନ୍ତର ଉଦ୍ୟମ ଜାରି ରଖିଛି ।ଲୋକଙ୍କ ସରକାରର ୫୦୦ ଦିନ ମଧ୍ୟରେ ୩୦,୦୦୦ ରୁ ଅଧିକ ସରକାରୀ ଚାକିରି ପ୍ରଦାନ କରାଯାଇଛି। ଆଜି ୧୨ଟି ବିଭାଗରେ ୭,୨୯୩ ଜଣଙ୍କୁ ନୂତନ ନିଯୁକ୍ତି ମିଳିଛି । ଆଜିର ନୂତନ ନିଯୁକ୍ତିକୁ ମିଶାଇ,ଏବେ ପର୍ଯ୍ୟନ୍ତ ମୋଟ ୩୭,୦୦୦… pic.twitter.com/K0JOzOc4Om
— Mohan Charan Majhi (@MohanMOdisha) November 25, 2025
ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି କହିଥିଲେ ଯେ ରାଜ୍ୟ ସରକାର ନିଯୁକ୍ତି ନେଇ ଯେଉଁ ଭରସା ଦେଇଥିଲେ ସେହି ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ୧୨ ବିଭାଗରେ ୭,୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଗୃହ ବିଭାଗରେ ୧,୯୭୯ ଜଣ କନ୍ଷ୍ଟେବଲ ଓ ୩୮୬ ଜଣ ଡ୍ରାଇଭର ନିଯୁକ୍ତି ପାଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧,୯୧୩ ଜଣ ସ୍ନାତକ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପାଇଁ ୨୪୧ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ ୩୬ କନିଷ୍ଠ ସହାୟକ, ୭ଜଣ ପିଇଟି ଏବଂ ୩୧ଜଣ ଲ୍ୟାବ୍ ଆସିଷ୍ଟାଣ୍ଟ କମ୍ ଷ୍ଟୋର୍ କିପର, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଓ ୬୪୮ଜଣ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖଣି ଓ ଭୂ-ତତ୍ତ୍ବ ନିର୍ଦ୍ଦେଶାଳୟରେ ୧୪ଜଣ କନିଷ୍ଠ ରସାୟନବିତ୍, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭ଜଣ କନିଷ୍ଠ ଷ୍ଟେନୋଗ୍ରାଫର୍, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ଜଣ ଫରେଷ୍ଟଗାର୍ଡ ଓ ୨୪୬ ଜଣ ଫରେଷ୍ଟର, କୃଷି ଓ କୃଷକ ସଶସ୍ତୀକରଣ ବିଭାଗରେ ୧୧୭ଜଣ ସହକାରୀ କୃଷି ଅଧିକାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗରେ ୧୫ଜଣ ପାରାମେଡିକ୍ସ ଷ୍ଟାଫ୍, ଜଳସମ୍ପଦ ବିଭାଗରେ ୩୬ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରହିଛନ୍ତି। ଏହାସହିତ ପ୍ରଥମଥର ଆଡ୍ଭୋକେଟ ଜେନେରାଲ ଅଫିସ୍ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ଯମରେ ୪୦ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି।
ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ‘ନିଯୁକ୍ତି ମେଳା’ରେ ଯୋଗଦେଇ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲି। ନିଜର କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ଦ୍ଵାରା ସଫଳତା ହାସଲ କରିଥିବା ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଏହି କାର୍ଯ୍ୟକ୍ରମରେ ୧୨ ଗୋଟି ବିଭାଗରେ ମୋଟ ୭,୨୯୩ ଜଣଙ୍କୁ ନିଯୁକ୍ତି… pic.twitter.com/s8Auckkdpw
— Mohan Charan Majhi (@MohanMOdisha) November 25, 2025
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶସ୍ତୀକରଣ ମନ୍ତ୍ରୀ କନକବଦ୍ଧନ ସିଂଦେଓ ନବନିଯୁକ୍ତଙ୍କୁ ସ୍ବାଗତ କରି କହିଲେ, ଆମ ସରକାର ଲୋକଙ୍କ ପାଇଁ କାମ କରୁଛି, ଆପଣମାନେ ଯେଉଁଠି ବି ନିଯୁକ୍ତି ପାଆନ୍ତୁ, ସେଠାକୁ ଯାଇ ଲୋକଙ୍କ ପାଇଁ କାମ କରନ୍ତୁ। ଲୋକଙ୍କ ସେବା କରିବା ହେଉଛି ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କର ଧର୍ମ। କର୍ତ୍ତବ୍ୟ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ସେ କହିଥିଲେ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ବିଭିନ୍ନ ବିଭାଗରେ କର୍ମଚାରୀ ଅଭାବ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ, ଧିରେ ଧିରେ ତାହା ପୂରଣ ହେବାକୁ ଯାଉଛି। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ତ୍ୱରାନ୍ୱିତ କରିଛନ୍ତି। ନିଜ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିବା ପାଇଁ ସେ ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେଇ କହିଥିଲେ।
ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆପଣମାନେ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛନ୍ତି। ଦାୟିତ୍ୱସମ୍ପନ୍ନ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରନ୍ତୁ ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମ ସରକାର ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବା ପାଇଁ କାର୍ଯ୍ୟ କରୁଛନ୍ତି । ଆପଣମାନେ ନିଜ ନିଜ କ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତାର ସହିତ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ କରନ୍ତୁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୨ ଟି ବିଭାଗର ୩୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ନବନିଯୁକ୍ତଙ୍କ ମଧ୍ୟରୁ ଗୃହ ବିଭାଗରେ ନିଯୁକ୍ତି ପାଇଥିବା କେନ୍ଦୁଝର ଜିଲ୍ଲାର ବନସିଂହ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖୋର୍ଦ୍ଧା ଜିଲ୍ଲାର ସସ୍ମିତା ପ୍ରଧାନ, ଜଙ୍ଗଲ ବିଭାଗରେ ନିଯୁକ୍ତି ପାଇଥିବା ମାଲକାନଗିରି ଜିଲ୍ଲାର ଦେବେନ୍ଦ୍ର ପଡିଆମି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ନିଯୁକ୍ତି ପାଇଥିବା ଜଗତସିଂହପୁର ଜିଲ୍ଲାର ଅନ୍ୱେଷା ରାୟ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି ରାଜ୍ୟ ସରକାରଙ୍କର ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ପାଇଁ ସରକାରୀ ଚାକିରୀ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।