BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୁଦୃଶ୍ୟ ହସ୍ତଶିଳ୍ପ ପାଇଁ ବିଶ୍ଵଦରବାରରେ ସୁପରିଚିତ ଓଡିଶା, ଆଜି ପୁଞ୍ଜିନିବେଶର ଏକ ଉପଯୁକ୍ତ କ୍ଷେତ୍ରର ପରିଚିତି ଲାଭ କରିଛି

୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫, ଓଡ଼ିଶା ପାଭିଲିୟନ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ନୂଆଦିଲ୍ଲୀ/ଭୁବନେଶ୍ଵର: ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ, ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଓ ‘ଆତ୍ମନିର୍ଭର ଭାରତ’ ଆହ୍ଵାନ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ଓଡ଼ିଶା ଭିଜନ ୨୦୩୬’ ଦୃଷ୍ଟିକୋଣର ଏକ ସମ୍ମିଳିତ ପ୍ରୟାସ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି । ସୁଦୃଶ୍ୟ ହସ୍ତଶିଳ୍ପ ପାଇଁ ବିଶ୍ଵଦରବାରରେ ସୁପରିଚିତ ଓଡିଶା, ଆଜି ପୁଞ୍ଜିନିବେଶର ଏକ ଉପଯୁକ୍ତ କ୍ଷେତ୍ରର ପରିଚିତି ଲାଭ କରିଛି । ଯାହାକି, କୃଷିଜାତ ପଦାର୍ଥ ଏବଂ ଗ୍ରାମୀଣ ଶିଳ୍ପୀମାନଙ୍କ ଦ୍ଵାରା ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀ ଠାରୁ ଆରମ୍ଭ କରି ଶିଳ୍ପାୟନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ର ସମସ୍ତଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଓଡ଼ିଶା ପାଭିଲିୟନ ପରିଦର୍ଶନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହା କହିବା ସହିତ ପାଭିଲିୟନରେ ଦର୍ଶିତ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ ।

ଚଳିତ ନଭେମ୍ବର ୧୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଚାଲିଥିବା ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଚତୁର୍ଥ ଦିବସରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା ପାଭିଲିୟନକୁ ପରିଦର୍ଶନରେ ଆସି ଅଂଶଗ୍ରହଣକାରୀ ଗ୍ରାମୀଣ ଶିଳ୍ପୀ ଓ ଉଦ୍ୟୋଗୀମାନଙ୍କ ସହିତ ଭାବ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ପରେପରେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟର ପାଭିଲିୟନ ପରିଦର୍ଶନ କରି, ଓଡିଶାରେ ବିଦ୍ୟୁତ ଶକ୍ତି ଉତ୍ପାଦନ ଓ ବିନିଯୋଗ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଯୋଗ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ ଜଳବିଦ୍ୟୁତ ଶକ୍ତିର ବିକଳ୍ପ ଭାବେ ସବୁଜ ଶକ୍ତି, ଅକ୍ଷୟ ଶକ୍ତି, ପୁନଃ-ନବୀକରଣୀୟ ଶକ୍ତି ଆଦି ସମ୍ପର୍କୀତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ପାଭିଲିୟନ ପରିଦର୍ଶନ କରି, ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା କୃଷି ବିଶେଷଜ୍ଞ ଓ କୃଷିଜୀବୀମାନଙ୍କ ସହିତ ମତ ବିନିମୟ କରିଥିଲେ ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ବ୍ୟତୀତ, ମଣିପୁର ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅନୁରାଗ ବାଜପେୟୀ ମଧ୍ୟ ଆଜି ଓଡ଼ିଶା ପାଭିଲିୟନକୁ ଆସି ଏହାର ଆକର୍ଷଣୀୟ ପରିପାଟୀ, ସାଜସଜ୍ଜା, କୃଷିଜାତ ଦ୍ରବ୍ୟ ଓ ଶିଳ୍ପୀମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀର ଭୂୟସୀ ପ୍ରଶଂସା କରିଥିଲେ ।