ବୁଢ଼ା କାଳରେ ସାହା ହେଲା ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ: କଷ୍ଟରୁ ରକ୍ଷା କଲା, ନୂଆ ଜୀବନ ଦେଲା
ଭୁବନେଶ୍ୱର : ବୁଢ଼ା କାଳରେ ସାହା ହେଲା ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ। କଷ୍ଟରୁ ରକ୍ଷା କଲା ନୂଆ ଜୀବନ ଦେଲା। ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା କାଉପାଳ ପଞ୍ଚାୟତର ହଳଦିଆ ଗ୍ରାମ ନିବାସୀ ପ୍ରାୟ ୮୪ ବର୍ଷ ବୟସ୍କ ବରିଷ୍ଠ ନାଗରିକ ବିଶ୍ଵନାଥ ସେଠୀ। ତାଙ୍କର ପୁଅ ବିନାୟକ ସେଠୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ନଥିଲେ ଆମେ ବାପାଙ୍କୁ ବଞ୍ଚେଇ ପାରିନଥାନ୍ତୁ। କାର୍ଡ ଯୋଗୁ ବାପାଙ୍କର ହାର୍ଟରେ ଦୁଇଟି ଷ୍ଟେଣ୍ଟ ଲାଗିଲା। ବର୍ତ୍ତମାନ ସେ ଭଲ ଅଛନ୍ତି।
ଏହି ବର୍ଷ ମେ ମାସରେ ବାପାଙ୍କ ଛାତିରେ କଷ୍ଟ ହେଲା। ଆମେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଲୁ। ଡାକ୍ତର ପରୀକ୍ଷା କରି ତାଙ୍କ ହାର୍ଟରେ ବ୍ଲକେଜ୍ ଥିବାର ସନ୍ଦେହ କଲେ ଏବଂ ଅପରେସନ ଦରକାର ପଡିପାରେ ବୋଲି କହିଲେ। ଭିଡ ଯୋଗୁ କ୍ୟାପିଟାଲ ହସ୍ପିଟାଲରେ ସଙ୍ଗେ ସଙ୍ଗେ ବେଡ୍, ଆଇ.ସି.ୟୁ ଆଦି ମିଳିବା ସମ୍ଭାବନା କମ ଥିଲା। ତାପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ନେଲୁ। ଏମ୍ସରେ ଆଇ.ସି.ୟୁ ବେଡ୍ ଖାଲି ନାହିଁ ବୋଲି କହିଲେ। ସେଠାରୁ ମଣିପାଲ୍ ହସ୍ପିଟାଲ ସହିତ ଯୋଗାଯୋଗ କଲୁ। ସେଠାରେ ବୟୋ ବନ୍ଦନା କାର୍ଡରେ ବିନା ଖର୍ଚ୍ଚରେ ଆଡ଼ମିଶନ ଓ ଚିକିତ୍ସା ହେଲା। ବାପାଙ୍କ ହାର୍ଟରେ ଗୋଟିଏ ଷ୍ଟେଣ୍ଟ ଲାଗିଲା।
ଆଉ ମାସକ ପରେ ଆଉ ଗୋଟିଏ ଷ୍ଟେଣ୍ଟ ଲାଗିବ ବୋଲି ଡାକ୍ତର କହିଲେ। ସେହି ଅନୁସାରେ ଜୁଲାଇ ମାସରେ ପୁଣି ମଣିପାଲ ହସ୍ପିଟାଲରେ ଆଡ଼ମିଶନ କରି ଦ୍ଵିତୀୟ ଷ୍ଟେଣ୍ଟ ଲଗାଇଲୁ। ବାପା ଏବେ ଭଲ ଅଛନ୍ତି। ଦୁଇଥର ଯାକରେ ୩ ଲକ୍ଷ ରୁ ବେଶି ଟଙ୍କା ଖର୍ଚ୍ଚ ହୋଇଛି। ସବୁ ଟଙ୍କା କାର୍ଡରୁ କଟିଛି। ଆମକୁ ଆଦୌ ଖର୍ଚ୍ଚ କରିବାକୁ ପଡିନି। ଆଗରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ମା ଙ୍କର ସେହି ମଣିପାଲ ହସ୍ପିଟାଲରେ ମାଗଣା ହାର୍ଟ ଅପରେସନ ହୋଇଥିଲା । ସେ ବି ଏବେ ଭଲ ଅଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆୟୁଷ୍ମାନ ସ୍ଵାସ୍ଥ୍ୟ କାର୍ଡ ଯୋଗୁ ଆମ ଭଳି ବହୁ ଗରିବ ଲୋକଙ୍କ ଜୀବନ ରକ୍ଷା ହୋଇଛି। ଏଥିପାଇଁ ଆମ ସରକାରଙ୍କ ନିକଟରେ କୃତଜ୍ଞ।
କେବଳ ଶ୍ରୀ ସେଠୀ ନୁହନ୍ତି ଗତ ୭ ମାସ ମଧ୍ୟରେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୬,୩୩,୮୦୦ ବୟୋଜ୍ୟୋଷ୍ଠ ବ୍ୟକ୍ତି ସାମିଲ ହୋଇଛନ୍ତି। ୭୦ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ଓଡ଼ିଶା ଭିତରେ ୭୫୧ ଏବଂ ରାଜ୍ୟ ବାହାରେ ୩୦୦୦୦ ତାଲିକାଭୁକ୍ତ ଘରୋଇ ହସପିଟାଲରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪,୧୯୧ ଜଣ ବରିଷ୍ଠ ନାଗରିକ ତାଲିକାଭୁକ୍ତ ହସପିଟାଲମାନଙ୍କରେ ୨୦ ହଜାରରୁ ଉର୍ଦ୍ଧ୍ବଥର ପ୍ରାୟ ୭୭ କୋଟି ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ଲାଭ କଲେଣି।