ଭୁବନେଶ୍ବର: ଆମ ସରକାର ଲୋକଙ୍କ ସରକାର। ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା, ସେମାନଙ୍କ କଲ୍ୟାଣ ତଥା ବିକାଶ ପାଇଁ ଆମ ସରକାର ଗତ ଏକ ବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଏହା ସହିତ ଏକ ସମୃଦ୍ଧ ଓଡିଶାର ପରିକଳ୍ପନା କରାଯାଇଛି। ୨୦୩୬ ଓ ୨୦୪୭ ସୁଦ୍ଧା ଓଡିଶା ପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି ଏବଂ ଏହାର ରୂପାୟନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଛି।
କିନ୍ତୁ, ଏ ସବୁ ସଫଳତା ହାସଲ କରିବା ପାଇଁ ସବୁ ନାଗରିକଙ୍କ ବ୍ୟକ୍ତିଗତ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ଏକ ମୌଳିକ ଆବଶ୍ୟକତା। ବିଶେଷ କରି ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ଏଥିପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ମହିଳା ମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆମ ସରକାର ଏକ Non-Negotiable Policy ଗ୍ରହଣ କରିଛି। ସମାଜର ବିଭିନ୍ନ ସ୍ଥାନରେ ନାରୀମାନଙ୍କ ପ୍ରତି ଅତ୍ୟାଚାରକୁ ରୋକିବା ପାଇଁ ଆମ ସରକାର ପ୍ରତିବଦ୍ଧ।
ବିଶେଷକରି କଲେଜ ଓ ବିଶ୍ୱବିଦ୍ୟାଳୟ ପରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଗତ ଦିନମାନଙ୍କରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ପ୍ରତି ଯେଉଁଭଳି ଅପରାଧ ଘଟୁଛି, ସେହିଭଳି ଘଟଣାକୁ ରୋକିବା ପାଇଁ, ଛାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମର ନାମ ହେଉଛି ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’।
#Odisha takes a bold step with the #Shaktishree Initiative to ensure safer campuses for women. pic.twitter.com/eRzFhpeYUK
— CMO Odisha (@CMO_Odisha) July 19, 2025
ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କରେ ଏହା କାର୍ଯ୍ୟକାରୀ କରାଯିବ।
ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
The #Shaktishree Initiative will ensure safer campuses in #Odisha with gender sensitization, student leadership, 24/7 surveillance, and annual safety audits. pic.twitter.com/3Co1hsNchw
— CMO Odisha (@CMO_Odisha) July 19, 2025
ଏହି କାର୍ଯ୍ୟକ୍ରମର ୮ ଗୋଟି ପ୍ରମୁଖ ଦିଗ ରହିଛି। ଏଗୁଡିକ ହେଲା:-
(୧) ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର (Empowerment Cell)
ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ “ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର” ସ୍ଥାପନ କରାଯିବ ଯାହା ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏହା ସହିତ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବରେ କାର୍ଯ୍ୟ କରିବେ। ଏହି “ଶକ୍ତି ଅପା”ମାନେ ପ୍ରତି ୩ ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ।
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଏକ “୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ” ଆୟୋଜନ କରିବ। ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚ୍ରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ତଥା Mental Health ସମ୍ପର୍କରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ।
(୨) ଶକ୍ତିଶ୍ରୀ ମୋବାଇଲ ଆପ୍
“ଶକ୍ତିଶ୍ରୀ ଆପ୍” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ। କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ।
(କ) ଛାତ୍ରୀମାନଙ୍କର ସଚେତନତା ଓ ଅବଗତି ନିମନ୍ତେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ କଲେଜମାନଙ୍କରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee), ଏହାର ନିୟମାବଳୀ ଏବଂ କାର୍ଯ୍ୟ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯିବ। ଏଥିସହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯିବ।
(ଖ) ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ Text, Audio ବା Video Message ମାଧ୍ୟମରେ ଉକ୍ତ ଆପ୍ରେ ପଞ୍ଜିକୃତ କରିପାରିବେ। ଅଭିଯୋଗଟି ଆପ୍ରେ ପଞ୍ଜିକୃତ ହୋଇ ସାରିବା ପରେ ଏହା ସିଧାସଳଖ ଉକ୍ତ ଛାତ୍ରୀ ପଢୁଥିବା ଶିକ୍ଷାନୁଷ୍ଠାନର Internal Commiteeର ଅଧ୍ୟକ୍ଷଙ୍କ ନିକଟରେ ପହଂଚିବ।
Under the #Shaktishree Initiative, every institution will have a dedicated Empowerment Cell, with trained female student and faculty leaders ensuring a safe and supportive environment for women in higher education. pic.twitter.com/3EPNnkpDWH
— CMO Odisha (@CMO_Odisha) July 19, 2025
(ଗ) ଛାତ୍ରୀମାନେ ଯଦି Stress, Anxiety ଆଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ ସେମାନେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ସିଧା ସଳଖ କଥା ହୋଇ ଉପଯୁକ୍ତ ପରାମର୍ଶ ନେଇପାରିବେ। ଶକ୍ତିଶ୍ରୀ ଆପରେ ଛାତ୍ରୀମାନଙ୍କ ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଟେଲି-ମାନସ (Tele-MANAS -Tele Mental Health Assistance and Networking Across States) ଯୋଜନାର ସୁବିଧା ମଧ୍ୟ ଉପଲବ୍ଧ ହେବ।
(ଙ) ଏଥିସହ କୌଣସି emergency ପରିସ୍ଥିତିରେ ଶକ୍ତିଶ୍ରୀ ମୋବାଇଲ ଆପ୍ ରେ ରହିଥିବା SOS ବଟନକୁ ବ୍ୟବହାର କରି ଛାତ୍ରୀମାନେ, ସିଧାସଳଖ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ଓ ତୁରନ୍ତ ସାହାଯ୍ୟ ପାଇପାରିବେ ।
(ଚ) ଶକ୍ତିଶ୍ରୀ ମୋବାଇଲ ଆପରେ ବିଭିନ୍ନ ଜିଲ୍ଲାମାନଙ୍କରେ ରହିଥିବା ଲୋକାଲ୍ କମିଟି ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ହୃଦୟଙ୍ଗମ କରନ୍ତି ଯେ, ତାଙ୍କର ଅଭିଯୋଗ ସମ୍ପୃକ୍ତ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ୱାରା ସମାଧାନ ହେଉନାହିଁ, ତେବେ ସେ ନିଜର ଅଭିଯୋଗ ସମ୍ବନ୍ଧରେ ଲୋକାଲ୍ କମିଟିକୁ ମଧ୍ୟ ଅବଗତ କରାଇପାରିବେ। ଏହି ସଂକ୍ରାନ୍ତୀୟ ଏକ SOP ଖୁବ ଶୀଘ୍ର ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯିବ ।
(୩) ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ (Code of Conduct)
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ (Code of Conduct) ଲାଗୁ ହେବ। ଏହା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏକ ବାର୍ଷିକ ଅନଲାଇନ୍ ଟ୍ରେନିଙ୍ଗ ମଡ୍ୟୁଲକୁ ସମ୍ପୂର୍ଣ୍ଣ କରିବେ, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ମହିଳା ସୁରକ୍ଷା, ଲିଙ୍ଗଗତ ସମ୍ବେଦନଶୀଳତା ତଥା Professional Ethics ସମ୍ବନ୍ଧରେ ସଚେତନତା ବୃଦ୍ଧି ହୋଇପାରିବ।
(୪) SAFE କ୍ୟାମ୍ପେନ୍
ଲିଙ୍ଗଗତ ସମାନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ Shaktishree Actions for Female Empowerment ବା SAFE ନାମକ ଏକ କ୍ୟାମ୍ପେନ୍ର ଆୟୋଜନ କରାଯିବ। ଏହି କ୍ୟାମ୍ପେନ୍ ମାଧ୍ୟମରେ ବାର୍ଷିକ ଦୁଇ ଥର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆଦିର ଆୟୋଜନ କରାଯିବ। ଏହା ଛାତ୍ରୀମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ଶୈକ୍ଷିକ ପରିବେଶ ପ୍ରଦାନ କରିବାରେ ସହାୟକ ହେବ।
(୫) କ୍ୟାମ୍ପସ ସୁରକ୍ଷା ରିପୋର୍ଟ
କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତ୍ୟେକ କଲେଜ, ନିଜର ଏକ ବାର୍ଷିକ ରିପୋର୍ଟ ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ପ୍ରଦାନ କରିବେ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ୟାମ୍ପସ ସୁରକ୍ଷାକୁ ନେଇ ଏକ ସବିସ୍ତୃତ ବିବରଣୀ ପ୍ରସ୍ତୁତ କରାଯାଇ ଏହି ରିପୋର୍ଟରେ ସ୍ଥାନିତ କରାଯିବ। ଏଥିରେ ଶିକ୍ଷାନୁଷ୍ଠାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ, ପଞ୍ଜିକୃତ ହୋଇଥିବା ଅଭିଯୋଗ ଓ ଏହାର ସମାଧାନ, ଆପତକାଳୀନ ସ୍ଥିତିର ମୁକାବିଲା ପାଇଁ ରହିଥିବା ବିଭିନ୍ନ ଭିତ୍ତିଭୂମି ଆଦି ସମ୍ପର୍କରେ ସୂଚନା ଉପଲବ୍ଧ କରାଯିବ ।
(୬) ସିସିଟିଭି (CCTV) କ୍ୟାମେରା
ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ, ଯାହାଦ୍ୱାରା କଲେଜ କ୍ୟାମ୍ପସକୁ ୨୪ ଘଣ୍ଟା Monitoring କରାଯାଇପାରିବ। ଏଥିସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ରହିବାର ବ୍ୟବସ୍ଥା କରାଯିବ। କଲେଜରେ ରହିଥିବା Internal Committeeର ସଦସ୍ୟ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ, ସିସିଟିଭି କ୍ୟାମେରା ଲଗାଇବାର ସ୍ଥାନ ନିରୂପଣ କରାଯିବ।
(୭) ଅନଲାଇନ କୋର୍ସ
କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ UGC ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଅନଲାଇନ କୋର୍ସ ପ୍ରଦାନ କରାଯିବ।
(୮) ଶକ୍ତି ସ୍ୱରୂପିଣୀ
- ରାଜ୍ୟର ସମସ୍ତ ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କ ପାଇଁ ବାର୍ଷିକ ଏକ-ଦିବସୀୟ କର୍ମଶାଳା “ଶକ୍ତି ସ୍ୱରୂପିଣୀ”ର ଆୟୋଜନ କରାଯିବ। ଏହି କର୍ମଶାଳାରେ ମହିଳାମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯିବ।
- ମହିଳାଙ୍କ ସୁରକ୍ଷାକୁ ନେଇ ରହିଥବା ବିଭିନ୍ନ ଦିଗ ସମ୍ବନ୍ଧରେ ସଚେତନ କରାଇବା, ଡିଜିଟାଲ ସୁରକ୍ଷା ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବା ଠାରୁ ଆରମ୍ଭ କରି ଶକ୍ତିଶ୍ରୀ ମୋବାଇଲ ଆପ୍ର ପରିଚାଳନା ପର୍ଯ୍ୟନ୍ତ ସବୁ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସୁଚାରୁ ରୂପେ ପରିଚାଳିତ ହୋଇପାରିବ।
- ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ “ଶକ୍ତିଶ୍ରୀ କାର୍ଯ୍ୟକ୍ରମ” ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି।
- ଆମ ସରକାର ବର୍ତ୍ତମାନ ଘଟୁଥିବା ଘଟଣା ଗୁଡ଼ିକ ପ୍ରତି ସମ୍ବେଦନଶୀଳ ଅଛନ୍ତି। ଯେଉଁମାନେ ଏଭଳି ଅପରାଧ ଯୋଗୁଁ ପ୍ରଭାବିତ ହେଉଛନ୍ତି, ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି ସେମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ସହାୟକ ହେବ।
