ଭୁବନେଶ୍ୱର: ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଲୀଳାଖେଳ। ସାରା ଦୁନିଆରୁ ଛୁଟିଆସିଛନ୍ତି ଭକ୍ତ। ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର। ସେପଟେ କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ମୁମ୍ବାଇ କୋକିଳାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ଆରୋଗ୍ୟ ଲାଭ କରୁଥିବା ନବୀନ ଆଜି ନନ୍ଦିଘୋଷ ଟିଭି ଜରିଆରେ ରଥାଯାତ୍ରା ସିଧାପ୍ରସାରଣ ଦେଖିଛନ୍ତି। ଡାକ୍ତରଖାନା ଶଯ୍ୟାରେ ରହି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ରାଜ୍ଯବାସୀଙ୍କ କଲ୍ୟାଣ କାମନା କରିଛନ୍ତି ନବୀନ। ଏହି ଅବସରରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କରୁଣା ସଭିଙ୍କ ଉପରେ ରହିଥାଉ ବୋଲି ନବୀନ ପଟ୍ଟନାୟିକ କହିଛନ୍ତି।
ପବିତ୍ର ରଥଯାତ୍ରା ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଜୟ ଜଗନ୍ନାଥ 🙏 #RathaJatra #JaiJagannatha pic.twitter.com/WA0vYjfubg
— Naveen Patnaik (@Naveen_Odisha) June 26, 2025
ସର୍ଭିକାଲ ଆର୍ଥ୍ରାଇଟିସରେ ପୀଡ଼ିତ ନବୀନଙ୍କ ସଫଳ ଅସ୍ତ୍ରୋପଚାର ପରେ ଏବେ ତାଙ୍କର ଫିଜିଓଥେରାପି ଚାଲିଛି । ରଥଯାତ୍ରା ଅବସରରେ ବିଜେଡି ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକମାନେ ମଧ୍ଯ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜ ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇ ସେ ଓଡ଼ିଶା ଫେରିଆସିବେ ବୋଲି କାଳିଆଠାକୁର ପାଖରେ ପ୍ରାର୍ଥନା କରିଛନ୍ତି ଦଳୀୟ ନେତା ।