ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସ୍ୱାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ। ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁଛି ମୌସୁମୀ। ୨୦୦୧ ଏବଂ ୨୦୦୯ରେ ମେ’ ୨୩ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ ମୌସୁମୀ।ମାତ୍ର ୧୯୧୮ ମସିହାରେ ମୌସୁମୀ ବାୟୁ ମେ ୧୧ ତାରିଖରେ ପ୍ରଥମ ଥର ପାଇଁ କେରଳ ଛୁଇଁଥିଲା। ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।
ଗତ ୧୩ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇସାରିଛି।
ଏପଟେ କେରଳରେ ଦକ୍ଷଣି ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ବଦଳିଛି । କଟକ, ଭୁବନେଶ୍ବର, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ରାଜ୍ୟରେ କାଳବୈଶାଖି ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ ଜିଲ୍ଲା ସମେତ କଟକର କିଛି ଅଂଶରେ ଝଡ ବର୍ଷା ସମେତ ବଜ୍ରପାତ ସମ୍ଭାବନା ରହିଚି। ବିଜୁଳି ଘଡ଼ଘଡ଼ି ସମେତ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ । ଆଞ୍ଚଳିକ ପାଣିପାଗ ବିଭାଗ ଏହି ୫ ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି । ଏହାର ପ୍ରଭାବରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।
ମୌସୁମୀ ବିଳମ୍ବରେ ଆସିବାର ରେକର୍ଡ ୧୯୭୨ ମସିହାରେ ଥିଲା, ଯେତେବେଳେ ମୌସୁମୀ ବର୍ଷା ଜୁନ୍ ୧୮ ତାରିଖରେ ହୋଇଥିଲା। ଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ ବିଳମ୍ବରେ ମୌସୁମୀ ଆସିବା ୨୦୧୬ ମସିହାରେ ହୋଇଥିଲା, ଯେତେବେଳେ ମୌସୁମୀ ଜୁନ୍ ୯ ତାରିଖରେ କେରଳରେ ପ୍ରବେଶ କରିଥିଲା।
ରିପୋର୍ଟ: ଶୁଭସ୍ମିତା ପ୍ରଧାନ