ଭାରତ ବର୍ଷରେ କୃଷି ଓ କୃଷକର ଭିତ୍ତିଭୂମି ସମବାୟ ମାଧ୍ୟମରେ ସଶକ୍ତ ହେଉଛି
ଫୁଲବାଣୀ ଠାରେ ୭୨ତମ ଜିଲା ସ୍ତରୀୟ ସମବାୟ ସପ୍ତାହ ଦିବସ ପାଳିତ
ଫୁଲବାଣୀ : ଜିଲା ପରିଷଦ ସମ୍ମିଳନୀ କକ୍ଷରେ ୭୨ତମ ଜିଲାସ୍ତରୀୟ ସମବାୟ ସପ୍ତାହ ଜିଲା ସମବାୟ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବାକୁ ସରକାରଙ୍କ ସ୍ଲୋଗାନ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ସମବାୟ ମାଧ୍ୟମରେ ଦେଶର ଜନସାଧାରଣଙ୍କ ବିକାଶ କିଭଳି ହୋଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ।ଉତ୍କଳ ଗୌରବ ମଧୁସୂଦନ ଦାସ ସମବାୟ ଆନ୍ଦୋଳନର ଜନକ ହିସାବରେ ସମବାୟ ମାଧ୍ୟମରେ ଲୋକମାନଙ୍କୁ ରୋଜଗାର କିଭଳି ଦିଆଯାଇପାରିବ ତାର ଶୁଭାରମ୍ଭ କରିଥିଲେ।
ଭାରତ ବର୍ଷରେ କୃଷି ଓ କୃଷକର ଭିତ୍ତିଭୂମି ସମବାୟ ମାଧ୍ୟମରେ ସଶକ୍ତ ହେଉଛି। ସମବାୟ ଆନ୍ଦୋଳନକୁ ଅଧିକ ସଶକ୍ତୀକରଣ ପାଇଁ ଚଳିତ ବର୍ଷ ନୂତନ ସମବାୟ ନୀତି ୨୦୨୫ ପ୍ରସ୍ତୁତ ହୋଇଛି। କନ୍ଧମାଳ ଜିଲ୍ଲାରେ ୭୬ଗୋଟି ଲ୍ୟାମ୍ପସ ମାଧ୍ୟମରେ କୃଷି ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି। କନ୍ଧମାଳ ଜିଲ୍ଲାରେ ତଥା ଓଡିଶାରେ ସମବାୟ ଆନ୍ଦୋଳନର ଆଶାନୁରୂପ ଅଗ୍ରଗତି ହୋଇନାହିଁ। ବିଭିନ୍ନ ବିଭାଗ ପକ୍ଷରୁ ଅନେକ ସମବାୟ ସମିତି ରୁଗଣ ଅବସ୍ଥାରେ ଥିବାରୁ ସରକାର ସେ ସବୁର ପୁନର୍ଉଥାନ ପାଇଁ ପଦକ୍ଷେପ ନେବା ଆବଶ୍ୟକ।କେବଳ ସମବାୟ ସପ୍ତାହ ପାଳନରେ ସିମୀତ ନ ରହି କିଭଳି ଜନସାଧାରଣ ରୋଜଗାର ଭିତିକ ସମବାୟ ସମିତି ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ଅର୍ଥନୈତିକ ବ୍ୟବସ୍ଥାକୁ ଅଗ୍ରାଧିକାର ଦେବା ଆବଶ୍ୟକ।
ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା କୃଷି ଅଧିକାରୀ, ଜିଲା ଉଦ୍ୟାନ ଉପନିର୍ଦୈଶକ,ଜିଲା ବେସାମରିକ ଯୋଗାଣ ଅଧିକାରୀ,ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲା ମତ୍ସ୍ୟ ଅଧିକାରୀ, ସହକାରୀ ଉପନିବନ୍ଧକ ଫୁଲବାଣୀ, ବାଲିଗୁଡା ପ୍ରମୁଖ ଯୋଗଦେଇଥିଲେ।
ଜିଲା ସମବାୟ ସମୂହ ଉପନିବନ୍ଧକ ସନ୍ତୋଷ କୁମାର ଦାସ ଜିଲାରେ ସମବାୟ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ନୂଆ ଯୋଜନା କରିବାକୁ ବକ୍ତବ୍ୟ ରଖିଥିଲେ। ଜିଲା ସହକାରୀ ସମବାୟ ଉପନିବନ୍ଧକ ସୁକାନ୍ତ ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବେଳେ ଜିଲା ସମବାୟ ସଂଘର ବୋର୍ଡ ସଦସ୍ୟ, ବିଭିନ୍ନ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ,ସଭାପତି ଓ ଚାଷୀଭାଇ ଭଉଣୀମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ସମବାୟକୁ ନେଇ ଆତ୍ମନିର୍ଭରଶୀଳ ହେବା ସମ୍ପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଲ୍ୟାମ୍ପସ ଓ ନିଷ୍ଠାପର କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ବେଳେ ସମବାୟ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରିଥିବା ବରିଷ୍ଠ ନାଗରିକ ସଂଘକୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଜିଲା ସମବାୟ ସଂଘର ଉପସଭାପତି କିଶୋର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମୀଣ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାକୁ ସମବାୟ ଆନ୍ଦୋଳନ ମାଧ୍ୟମରେ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଚଳିତ ବର୍ଷବ୍ୟାପି କାର୍ଯ୍ୟକ୍ରମ ଜାରି ରହିଛି।