ଓଡ଼ିଶାରେ ପ୍ରସ୍ତୁତ ହେଉଛି ଆତ୍ମନିଭର୍ର ଭାରତ, ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗରେ ସିଲିକନ୍ ସେମିକଣ୍ଡକ୍ଟର୍ ଚିପ୍ ପ୍ରସ୍ତୁତି
-
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫
-
ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ଵ
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡିଶାରେ ପ୍ରସ୍ତୁତ ହେଉଛି ଆତ୍ମନିର୍ଭର ଭାରତର ରୂପରେଖ
-
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରସ୍ତୁତ ଭିଜନ୍ ଡକ୍ୟୁମେଣ୍ଟ ଆଧାରରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପାଇଁ ଓଡିଶାର ପ୍ରତିବଦ୍ଧତା ପ୍ରଦର୍ଶିତ
-
ଭାରତର ସର୍ବପ୍ରଥମ ସିଲିକନ୍ ସେମି-କଣ୍ଡକ୍ଟର୍ ହବ୍ ଭାବେ ରୂପାନ୍ତରିତ ହେଉଛି ଓଡିଶା
-
ଉତ୍କର୍ଷ ଓଡିଶା ସମ୍ମିଳନୀ ମାଧ୍ୟମରେ ଅପାର ସମ୍ଭାବନାର ରାଜ୍ୟ ଓଡିଶା ଆଜି ବିଶ୍ଵର ଶିଳ୍ପଦ୍ୟୋଗୀ ଓ ନିବେଶକଙ୍କ ପ୍ରଥମ ପସନ୍ଦ
ନୂଆଦିଲ୍ଲୀ/ଭୁବନେଶ୍ଵର : ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢୋକ୍ତି ପ୍ରକାଶ କରିବା ସହିତ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ଦିଗରେ ସମସ୍ତେ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ।
ଆଜି ନୂଆଦିଲ୍ଲୀରେ ଚାଲିଥିବା India International Trade Fair (IITF) ଅବସରରେ 'ଓଡ଼ିଶା ଦିବସ'ରେ ଯୋଗ ଦେଲି। ମୁଁ ଓଡ଼ିଶା ମଣ୍ଡପ ପରିଦର୍ଶନ କରିବା ସହ ଭାରତ ମଣ୍ଡପମ୍ର ଆମ୍ଫି ଥିଏଟର୍ରେ ଆୟୋଜିତ ହୋଇଥିବା ମନୋରମ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କଲି। ଏଥର ଓଡ଼ିଶା ମଣ୍ଡପ ବାସ୍ତବରେ ଅତ୍ୟନ୍ତ ସୁଦୃଶ୍ୟ ଓ ଭବ୍ୟ… pic.twitter.com/JH4ILaUWLr
— Mohan Charan Majhi (@MohanMOdisha) November 22, 2025
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ନବମ ଦିବସରେ ଶନିବାର ପାଳିତ ହୋଇଥିଲା ଓଡିଶା ରାଜ୍ୟ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟବସ୍ତୁ ଯଥାର୍ଥରେ ଆମ ସ୍ୱପ୍ନ ଓ ସମ୍ଭାବନାକୁ ପ୍ରତିପାଦିତ କରିବା ସହିତ ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗ ମାଧ୍ୟମରେ ସିଲିକନ୍ ସେମିକଣ୍ଡକ୍ଟର୍ ଚିପ୍ ଭଳି ସୂକ୍ଷ୍ମାତିସୂକ୍ଷ୍ମ ଅତ୍ୟାଧୁନିକ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାକୁ ନୂତନ ପରିଚୟ ପ୍ରଦାନ କରିବ ବୋଲି କହିଥିଲେ।
ଏହା ଆମ ଅର୍ଥନୀତିକୁ ସୁଦୃଢ କରିବ ଏବଂ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ। ନବୀକରଣୀୟ ବିଦ୍ୟୁତ ଶକ୍ତିର ଉତ୍ପାଦନ, ବ୍ୟାପକ ବୃକ୍ଷଚାରା ରୋପଣ ମାଧ୍ୟମରେ ପରିବେଶ ସନ୍ତୁଳନ ରକ୍ଷା ଏବଂ ପରବର୍ତ୍ତୀ ପିଢୀ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ଆଭିମୁଖ୍ୟ ନେଇ ଆମ ନୀତି ଓ ଯୋଜନା ପ୍ରଣୟନ କରିବା ସହିତ ତାର କାର୍ଯ୍ୟାନ୍ଵୟନ ଆମର ପ୍ରାଥମିକତା ରହିଛି ବୋଲି ଉପସ୍ଥିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ସେ କହିଥିଲେ ଯେ, ଉତ୍କର୍ଷ ଓଡ଼ିଶା : ମେକ-ଇନ-ଓଡିଶା କନକ୍ଳେଭ ମାଧ୍ୟମରେ ବିଶ୍ଵର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବା ହେଉ, ଓଡିଶାର ସୁଦକ୍ଷ ଯୁବଗୋଷ୍ଠୀ ଓ ସେମାନଙ୍କ ଷ୍ଟାର୍ଟ-ଅପ ଉତ୍ପାଦକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରିବାକୁ ଅଥବା ଓଡିଶାରେ ଉତ୍ପାଦିତ ଶ୍ରୀଅନ୍ନ ବିସ୍ମୃତ ଖାଦ୍ୟ ବିଶ୍ଵ ବଜାର ସୁବିଧା ଉପଲବ୍ଧ କରିବାକୁ ନିକଟ ଅତୀତରେ ଅନ୍ତର୍ଜାତୀୟ ମିଲେଟ କନଭେନସନ ଆୟୋଜନ ହେଉ, ପ୍ରତ୍ଯେକ କ୍ଷେତ୍ରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡିଶାର ପ୍ରଗତିଶୀଳ ନୀତିକୁ ସମଗ୍ର ବିଶ୍ଵ ସକାରାତ୍ମକ ଦୃଷ୍ଟିରେ ଦେଖୁଛି ।
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ନବମ ଦିବସରେ ଭାରତ ମଣ୍ଡପମ ପରିସରସ୍ଥ ମୁକ୍ତାକାଶ ନାଟ୍ୟଶାଳାରେ ଆୟୋଜିତ ଓଡିଶା ରାଜ୍ୟ ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଏହି ସମାରୋହକୁ ଉଦଘାଟନ କରିବା ସହିତ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ପତ୍ରିକା ଦ୍ଵୟର ସ୍ଵତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ କରିଥିଲେ। ଏଥିସହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସି ବିଭିନ୍ନ ବିଭାଗର ଷ୍ଟଲ୍ ଅଧିକାରୀ, ଶିଳ୍ପୀ ଓ ବୁଣାକାରଙ୍କ ସହ ବାର୍ତ୍ତାଳାପ କରି, ଓଡିଶାର ଗୌରବମୟ ଅତୀତକୁ ବଜାୟ ରଖିବା ସହ ଓଡ଼ିଶାକୁ ଆତ୍ମନିର୍ଭର ଓଡ଼ିଶାରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ।
ରାଜ୍ୟ ଦିବସ ଅବସରରେ ଭୁବନେଶ୍ଵର ନୁପୁର ଅନୁଷ୍ଠାନରେ କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟାଭିନୟ, ଦିଗପହଣ୍ଡି(ଗଞ୍ଜାମ)ର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ପଶୁମୁଖା ନୃତ୍ୟ, ସୁବର୍ଣ୍ଣପୁର ସ୍ଥିତ ରୁମକୁଝୁମାର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଜିଲ୍ଲାର ନୂତନ କଳା ସଂସଦର ଶିଙ୍ଘନୃତ୍ୟ ଏବଂ କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ପରିବେଷଣ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଷଡଙ୍ଗୀ, ସୁଜିତ କୁମାର, ନିରଞ୍ଜନ ବିଶି, ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ସମେତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ, ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ, ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଅରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଗୁରବୀର ସିଂହଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆମ ସରକାରର ଲକ୍ଷ୍ୟ ହେଉଛି ଟ୍ରାନ୍ସଫର୍ମେସନାଲ ଗ୍ରୋଥ୍। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରୁଛି। ଗତ ଦେଢ଼ ବର୍ଷ ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମି କ୍ଷେତ୍ରରେ, ଭିଜନ… pic.twitter.com/JvYFnXfKoi
— Mohan Charan Majhi (@MohanMOdisha) November 22, 2025