କନ୍ଧମାଳର ଗୌରବ ବଢ଼ାଉଛନ୍ତି ଶ୍ରୀ ସତ୍ୟସାଇ ବିଦ୍ୟାଳୟର ଛାତ୍ରଛାତ୍ରୀ
ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଶିକ୍ଷା ସହ ନୈତିକତାର ବିକାଶ ଉପରେ ଅତିଥିଙ୍କ ଗୁରୁତ୍ୱ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପରିଚାଳନା କମିଟି ସଭାପତି ଡ. ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସମ୍ପାଦକ, ବିଧାୟକ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟିତ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ବିଦ୍ୟାଳୟ ସହ ତାଙ୍କର ପିଲାଦିନର ସମ୍ପର୍କ ରହିଛି। ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆଜି ଭାରତର ବିଭିନ୍ନ ପ୍ରାନ୍ତରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ବିଦ୍ୟାଳୟଟି କେବଳ ପାଠ୍ୟପୁସ୍ତକ ଶିକ୍ଷା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କୁ ଉନ୍ନତ ନୈତିକ ଓ ଶାରୀରିକ ଶିକ୍ଷା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏହାସହ ବିଦ୍ୟାଳୟର ଶୃଙ୍ଖଳିତ ପରିବେଶ ପିଲାମାନଙ୍କୁ ଜଣେ ଜଣେ ସୁନାଗରିକ ଭାବେ ଗଢ଼ିତୋଳିବାରେ ସହାୟକ ହେଉଛି। ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଥିବା ସମନ୍ୱୟ ଏହି ଅନୁଷ୍ଠାନର ସଫଳତାକୁ ଦ୍ୱିଗୁଣିତ କରିଛି। ଆଗାମୀ ଦିନରେ ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରିୟନାଥ ଶର୍ମା ଓ ବିଜୟ କୁମାର ମହାନ୍ତି ମଞ୍ଚାସୀନ ହୋଇ ବିଦ୍ୟାଳୟର ଯଶ ଓ କୀର୍ତ୍ତି ସମ୍ପର୍କରେ ନିଜର ମତ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଦାସ ବାର୍ଷିକ ବିବରଣୀ ପାଠ କରି କହିଥିଲେ ଯେ, ୧୯୮୧ ମସିହା ଜୁଲାଇ ୨ ତାରିଖରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ନିର୍ଦ୍ଦେଶରେ ଅନୁପ୍ରାଣିତ ହୋଇ ଶ୍ରୀ ସତ୍ୟସାଇ ସେବା ସମିତି, ଫୁଲବାଣୀର କେତେକ ଶିକ୍ଷାପ୍ରେମୀ ଭକ୍ତଙ୍କ ନିଷ୍ଠାପର ଉଦ୍ୟମରେ ଏହି ବିଦ୍ୟାଳୟର ଯାତ୍ରା ଆରମ୍ଭ ହୋଇଥିଲା। ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ ସେବା, ପରିଚାଳନା କମିଟିର ପ୍ରଚେଷ୍ଟା ଓ ଅଭିଭାବକଙ୍କ ସହଯୋଗ ଯୋଗୁଁ ୧୯୮୮ରେ ମଧ୍ୟ ଇଂରାଜୀ ଏବଂ ୧୯୯୩ରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ଲାଭ କରି ଏହା ଏକ ପୂର୍ଣ୍ଣାଙ୍ଗ ଉଚ୍ଚ ବିଦ୍ୟାଳୟର ରୂପ ନେଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ପାଇଁ ଏକ ସମୃଦ୍ଧ ପାଠାଗାର ଓ ଉନ୍ନତ ବିଜ୍ଞାନାଗାରର ବ୍ୟବସ୍ଥା ରହିଛି, ଯାହା ସହାୟତାରେ ପିଲାମାନେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ସଫଳତା ହାସଲ କରୁଛନ୍ତି। ବିଦ୍ୟାଳୟର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳାଫଳ ପ୍ରତିବର୍ଷ ରାଜ୍ୟର ହାରାହାରି ପାସ ହାରଠାରୁ ଯଥେଷ୍ଟ ଅଧିକ ରହୁଥିବା ସେ ସୂଚନା ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ରାଜ୍ୟ ବାଳ ବିକାଶ ଗୁରୁ ତାଲିମ ନିର୍ବାହକ ଶିବ ପ୍ରସାଦ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳିତ ଜୀବନଶୈଳୀ, ନିଷ୍ଠାପର ଅଧ୍ୟୟନ ଓ ମାନବିକ ମୂଲ୍ୟବୋଧଭିତ୍ତିକ ବାଳ ବିକାଶ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ଚିତ୍ତାକର୍ଷକ ଓ ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା। ଏହି ଉତ୍ସବରେ ବହୁ ସଂଖ୍ୟାରେ ଅଭିଭାବକ, ବୁଦ୍ଧିଜୀବୀ, ସାଇ ଭକ୍ତ, ପୁରାତନ ଛାତ୍ରଛାତ୍ରୀ ଓ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିକ୍ଷକ ସନାତନ ଦାଶ, ପ୍ରଶାନ୍ତ କୁମାର ଦାଶ, ସଞ୍ଜୀବ ନାୟକ, ମମତା ତ୍ରିପାଠୀ, ସ୍ମିତା ନାୟକ, ସୁନନ୍ଦା ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଉତ୍ସବଟିକୁ ସଫଳ କରିଥିଲେ। ପରିଚାଳନା କମିଟି ସଦସ୍ୟ ଲିଙ୍ଗରାଜ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଇଂରାଜୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।