ବାଲେଶ୍ୱର: ସୋର ଥାନା ଅଞ୍ଚଳର ତେଣ୍ଟେଇ ପଞ୍ଚାୟତ ଅଧୀନ ଦୟାନିଧିପୁର ଗାଁରେ ଘଟିଥିବା ଗୁଳି ମାଡ଼ ଓ ଲୁଟ୍ ଘଟଣାରେ ଜଡିତ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୋଲିସ ଗିରଫ କରିଛି । ଏହା ସହିତ ପୋଲିସ ପକ୍ଷରୁ ଚଢ଼ଉବେଳେ ୨ଟି ବନ୍ଧୁକ ସହିତ ୨୦ଟି ଜୀବନ୍ତ ଗୁଳି ଓ ଲୁଟ୍ ହୋଇଥିବା ସୁନା, ରୁପା ଏବଂ ଟଙ୍କା ବି ଜବତ କରାଯାଇଛି ।
ବାଲେଶ୍ୱର ଏସପି ରାଜ ପ୍ରସାଦ ସୂଚନା ଦେଇ କହିଛନ୍ତି ଯେ, ବାପି ପାଣିଙ୍କ ବିରୁଦ୍ଧରେ ୧୯ରୁ ଅଧିକ ମାମଲା ରହିଛି। ସେ ବାଲେଶ୍ୱର, ଭଦ୍ରକ, ବାସୁଦେବପୁର ଓ ରାଉରକେଲା ଅଞ୍ଚଳରେ ଆତଙ୍କ ମଚାଇ ରଖିଥିଲେ। ଲୁଟ୍, ଅସ୍ତ୍ର ଧାରଣ, ଧମକ ଦେବା ଓ ଅନ୍ୟାନ୍ୟ ଗୁରୁତର ଅପରାଧ ରେ ସେ ଜଡିତ ଥିବା ସୂଚନା ମିଳିଛି ।
ସେ କହିଛନ୍ତି, “ମୁଖ୍ୟ ଅଭିଯୁକ୍ତ ବାପି ପାଣିଙ୍କୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବା ବାଲେଶ୍ୱର ପୋଲିସ ପାଇଁ ବଡ଼ ସଫଳତା । ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ବି ପୋଲିସର ହାତକୁ ପଡିବେ ।”
ଏହି ଘଟଣା ପରେ ଅଞ୍ଚଳରେ ଆଶା ଓ ନିରାପତ୍ତା ଅନୁଭବ କରୁଛନ୍ତି ସ୍ଥାନୀୟ ଲୋକେ । ବାପି ପାଣିଙ୍କ ଗିରଫ ସହ ବାଲେଶ୍ୱର ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଅପରାଧ ଗୁଚ୍ଛ ଉପରେ ନିୟନ୍ତ୍ରଣ ଆଣିପାରିଛି ବୋଲି ଅନେକ ମତ ପ୍ରକାଶ କରିଛନ୍ତି ।